Below header

ସଜବାଜ ହୋଇ ପରୀକ୍ଷା ହଲ୍କୁ ଗଲେ କନିଆ, ଛାଡ଼ିବାକୁ ଆସିଲେ ବର

ମଣିଷଟିଏ ଜନ୍ମରୁ ମରଣ ଯାଏ ଅନେକ ପ୍ରକାର ପରୀକ୍ଷାର ସାମ୍ନା କରେ । ଏ ଭିତରୁ ପୁଣି ସବୁଠାରୁ ବଡ ପରୀକ୍ଷା ହେଉଛି ବାହାଘର । ବିଶେଷ କରି ଜଣେ ମହିଳା ପାଇଁ । ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସେ ବାହାଘର ପରେ । ଝିଅଟିଏ ପର ଘରକୁ ଆସେ ଆଉ ନୂଆ କରି ତାର ଜୀବନ ଆରମ୍ଭ କରେ । ମନରେ ଅନେକ ଉତ୍କଣ୍ଠା ଓ ଉତ୍ସାହ ସହ ଡର ବି ରହିଥାଏ । ତେଣୁ ବାହାଘର ବେଳେ ଉଭୟ ବର ଓ କନ୍ୟା ଅନ୍ୟ ସବୁ କଥାକୁ ପଛକୁ ଠେଲି ଦେଇଥାନ୍ତି । କାରଣ ଏଇ ବାହାଘର ହେଉଛି ମଣିଷ ଜୀବନର ସବୁଠାରୁ ବଡ଼ ମୋଡ଼ । ଅନେକ ଲୋକ ଏହାକୁ ନେଇ ଉତ୍ସାହିତ ରହିବା ସ୍ୱାଭାବିକ ।

ତେବେ ଆମେ ଯେଉଁ ଘଟଣା କଥା କହିବାକୁ ଯାଉଛୁ ସେଠି କିନ୍ତୁ କିଛି ଭିନ୍ନ କଥା ଘଟିଛି । ଏହି ଭିଡିଓରେ ଯେଉଁ କନ୍ୟା ଜଣଙ୍କୁ ଆପଣ ଦେଖୁଛନ୍ତି ସେ ନିଜ ବାହାଘର ଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି ନିଜର ପରୀକ୍ଷାକୁ। ଯାହା ହେଉନା କାହିଁକି ଆଗ ପରୀକ୍ଷା ଦେବେ । ସେଥି ପାଇଁ ବାହା ବେଦୀରେ ସାତ ଘେର ବୁଲିବା ପୂର୍ବରୁ, ହାତଗଣ୍ଠି ପଡ଼ିବା ଆଗରୁ ପହଞ୍ଚିଗଲେ ପରୀକ୍ଷା ହଲ୍‌ରେ । ଅବଶ୍ୟ ସେତେବେଳକୁ ବେଦୀରେ ବସିବାକୁ ସଜ ହୋଇ ସାରିଥିଲେ । ଏହି ବର ଓ କନ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି ।

View this post on Instagram

 

A post shared by Viral Bhayani (@viralbhayani)

ବଧୂ ବେଶରେ କନ୍ୟା ଜଣଙ୍କ ପହଞ୍ଚିଛନ୍ତି ପରୀକ୍ଷା ଦେବା ପାଇଁ । ତେବେ ଯୁବତୀଙ୍କର ଅନ୍ୟ କୁଆଡ଼କୁ ନଜର ନଥିଲା । ସେ ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଖାତାରେ ଲେଖି ଚାଲିଲେ । ଏହି ଭାଇରାଲ ଭିଡିଓକୁ ଦେଖି ଲୋକେ ଅନେକ ଭଲ ଭଲ କମେଣ୍ଟ ମଧ୍ୟ କରୁଛନ୍ତି ।

ଦେହରେ ବାହାଘର ଶାଢ଼ି ଆଉ ସୁନା ଗହଣାରେ ଲଦି ହୋଇଥିଲେ କନ୍ୟା ଶିବାଙ୍ଗୀ ବଗଥାରିୟା । ଆଉ ଶିବାଙ୍ଗୀଙ୍କୁ ସାଙ୍ଗରେ ଧରି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ ତାଙ୍କ ଭାବୀ ସ୍ୱାମୀ । ଶାନ୍ତି ନିକେତନ କଲେଜରେ ବ୍ୟାଚଲର ଅଫ ସୋସିଆଲ ଓ୍ଵାର୍କର ୫ମ ସେମିଷ୍ଟାର ଦେଇଛନ୍ତି । କେମିତି ତାଙ୍କୁ ବାହାଘର ଦିନ ପରିବାର ଲୋକେ ପରୀକ୍ଷା ଦେବାକୁ ଅନୁମତି ଦେଲେ ବୋଲି ପଚରା ଯିବାରୁ ଶିବାଙ୍ଗୀ କହିଛନ୍ତି ଉଭୟ ବାପଘର ଓ ଶାଶୁଘର ଲୋକେ ଏଥିରେ ପୂରା ସହଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ମୋର ବାହାଘର ତାରିଖ ସ୍ଥିର ହେଲା ସେହି ସମୟରେ ପରୀକ୍ଷା ସିଡ୍ୟୁଲ ଜାରି କରାଯାଇଥିଲା । ତେଣୁ ମୋତେ ପ୍ରଥମେ ପରୀକ୍ଷା ଦେବାର ଥିଲା । ବାହାଘର ପରବର୍ତ୍ତୀ ମୁହୂର୍ତ୍ତରେ ହୋଇପାରିବ କିନ୍ତୁ ପରୀକ୍ଷା ମୋତେ ଅପେକ୍ଷା କରିବ ନାହିଁ । ତେଣୁ ମୁଁ ପରୀକ୍ଷା ଦେଇ ସାରିବା ପରେ ବାହା ହେବି ବୋଲି ଶିବାଙ୍ଗୀ କହିଥିଲେ। ପରୀକ୍ଷା ସରିବା ପରେ ଶିବାଙ୍ଗୀ ବେଦୀକୁ ଯାଇଥିଲେ ।

କନିଆ ବେଶରେ ସଜ ହୋଇ ପରୀକ୍ଷା ଦେଉଥିବାର ଭିଡିଓ ଇଂଷ୍ଟାଗ୍ରାମରେ ସେୟାର ହୋଇଥିଲା ଯାହାକି ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ କିଛି ୟୁଜର୍ସ ସେୟାର ମଧ୍ୟ କରିଛନ୍ତି । ଇଂଷ୍ଟାଗ୍ରାମରେ ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ସାଢ଼େ ୪ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ଅନେକ ଲୋକେ ଏହି ଭିଡିଓକୁ ଦେଖି ପଜିଟିଭ କମେଣ୍ଟ ଦେଇଛନ୍ତି । କାରଣ ଶିବାଙ୍ଗୀ ପ୍ରଥମେ ନିଜର ଶିକ୍ଷାକୁ ପ୍ରାଧାନ୍ୟ ଦେଇଛନ୍ତି । ଏହା ତାଙ୍କର ଏକଦମ ସଠିକ ନିଷ୍ପତ୍ତି ଥିଲା ବୋଲି ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.