Below header

ଯାଜପୁର ରାଜନୀତିରେ ସମ୍ପର୍କର ଡୋରି, ଭାଇ ପାଇଁ ଭାଇ ଶାହା, ଏଠି ରାଜନୀତି ନୁହେଁ, ରକ୍ତର ସମ୍ପର୍କ ବଡ଼ ହୋଇଛି

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ। ଏହି ନିର୍ବାଚନ ସମୟରେ ଅନେକ କିଛି ରୋଚକ ଘଟଣା ସାମ୍ନାକୁ ଆସେ । କେତେବେଳେ ରାଜନୀତି ପାଇଁ ରକ୍ତ ସଂପର୍କକୁ ଛିନ୍ନ କରିଦିଏ ମଣିଷ ତ ଆଉ କେତେବେଳେ ସଂପର୍କ ପାଇଁ ରାଜନୀତିକୁ ଅଲବିଦା କହେ । ଯାଜପୁରରେ ଏଭଳି କିଛି ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି । ସଂପର୍କ ପାଇଁ ରାଜନୀତିକୁ ପଛରେ ପକାଇ ଦେଇଛି ଭାଇ। ଭାଇର ସ୍ୱାର୍ଥ ପାଇଁ କିଏ ରାଜନୈତିକ ଦଳକୁ ଛାଡି ଆସିଛି ତ ଆଉ କିଏ ନିଜ ଦଳ ବିରୋଧରେ ଯାଇ ଭାଇକୁ ସମର୍ଥନ ଦେଇଛି ।
କଥାରେ ଅଛି ଯୁଦ୍ଧ ଯଦି କରି ବସିବୁ ସାଂଗରେ ଥିବ ଭାଈ ।ହଁ ଏହି ଉକ୍ତି ଏବେ ଯାଜପୁରରେ ଚାଲିଥିବା ଭୋଟ୍‌ ଯୁଦ୍ଧରେ ପ୍ରମାଣିତ ହୋଇଛି । ଭାଇ ପାଇଁ ଭାଇ ଛାଡିଛି ପୁରୁଣା ଦଳ । ଆମେ କହୁଛୁ ଯାଜପୁରର ପୂର୍ବତନ ସାଂସଦ ଅଂଚଳ ଦାସଙ୍କ କଥା । ଚଳିତ ନିର୍ବାଚନରେ ବିଂଝାରପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ମନୋରଂଜନ ଦାସ । ସେ ହେଉଛନ୍ତି ଅଂଚଳ ଦାସଙ୍କ ଭାଇ । କିଛି ଦିନ ପୂର୍ବରୁ ଅଞ୍ଚଳ ଦାସ ବିଜେପିରେ ଥିଲେ । କିନ୍ତୁ ନିଜ ସାନ ଭାଇ ମନୋରଂଜନ କଂଗ୍ରେସର ପ୍ରାର୍ଥୀ ହେବା ପରେ ଅଂଚଳ ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ପୁଣି ସସାନ ଭାଇ ପାଇଁ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ।
କେବଳ ଅଂଚଳ କିମ୍ବା ମନୋରଂଜନ ନୁହନ୍ତି, ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ସଂସଦୀୟ କ୍ଷେତ୍ରରେ । ଏଠି ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅମୀୟ କାନ୍ତ ମଲ୍ଲିକ । କିନ୍ତୁ ଅମୀୟଙ୍କ ସାନଭାଇ ପରେଶ ମଲ୍ଲିକ ଶାସକ ବିଜୁ ଜନତା ଦଳର ଆଗୁଆ ନେତା ଭାବେ ବେଶ ଜଣାଣୁଣା । ପରେଶ ବିଜେଡି ରାଜ୍ୟ ଦଳିତ ସେଲର ସାଧାରଣ ସଂପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ନେଇଛନ୍ତି । କିନ୍ତୁ ଏବେ ପରେଶ ବଡଭାଇଙ୍କ ନାମାଙ୍କନ ଦାଖଲ ଠାରୁ ଆରମ୍ଭ କରି ପ୍ରଚାରରେ ମଧ୍ୟ ଭାଇଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଏଠି ରାଜନୀତି ନୁହେଁ, ଏଠି ରକ୍ତର ସମ୍ପର୍କ ବଡ଼ ହୋଇଛି ।

ଯାଜପୁର ଟାଉନରୁ ଦେବାଶିଷ ସାହୁ, କେନ୍ୟୁଜ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.