ଏହି ରେସ୍ତୋରାଁରେ ଦେବାକୁ ପଡ଼ିନଥାଏ ଟଙ୍କା, କେବଳ ପ୍ଲାଷ୍ଟିକ୍‌ ଦେଲେ ମିଳିବ ପେଟପୂରା ଖାଦ୍ୟ

ନୂଆ ନୂଆ ସ୍ଥାନ ବୁଲାବୁଲି କରିବା ସହ ସେଠାକାର ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ କିଏ ବା ପସନ୍ଦ କରିନଥାଏ। କିଛି ସ୍ଥାନରେ ଖାଇବା ଦର ଆକାଶଛୁଆଁ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ବହୁତ ଶସ୍ତାରେ ଖାଦ୍ୟପଦାର୍ଥ ମିଳିଥାଏ। ତେବେ ଏମିତି ଏକ ଜାଗା ଅଛି ଯେଉଁଠାରେ ଖାଦ୍ୟ ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବନି। ଟଙ୍କା ବଦଳରେ ପ୍ଲାଷ୍ଟିକ୍‌ ଦେଇ ଆପଣ ପେଟପୂରା ଖାଇପାରିବେ। କୌଣସି ବାହାର ଦେଶରେ ନୁହେଁ ବରଂ ଭାରତରେ ହିଁ ଆପଣଙ୍କୁ ଏଭଳି ସୁବିଧା ମିଳିବ।

 

ଛତିଶଗଡ଼ର ଅମ୍ବିକାପୁର ଏକ ପରିଚିତ ସହର। ପରିଷ୍କାର ପରିଚ୍ଛନ୍ନତା ଦୃଷ୍ଟିରୁ ଭାରତର ଏହା ଦ୍ୱିତୀୟ ସହର ଭାବେ ପରିଗଣିତ ହୋଇଥାଏ। ବର୍ତ୍ତମାନ ଏହି ସହରରେ ଭୋକିଲା ଲୋକଙ୍କୁ ପେଟପୂରା ଖାଦ୍ୟ ଦେବା ସହ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

ଅମ୍ବିକାପୁର ନଗର ନିଗମର କମିଶନର ମନୋଜ ସିଂହ ଏବଂ ତାଙ୍କ ପୁଅ କାମୟାନୀ ଏମିତି ଏକ କ୍ୟାଫୋ ଖୋଲିଛନ୍ତି ଯେଉଁଠାରେ ୧ କେଜି ପ୍ଲାଷ୍ଟିକ୍‌ ଦେଲେ ମାଗଣାରେ ଖାଦ୍ୟ ମିଳିବ। ସେହିପରି ୧.୫ କେଜି ପ୍ଲାଷ୍ଟିକ୍‌ ଦେଲେ ବ୍ୟକ୍ତିଙ୍କୁ ସକାଳର ବ୍ରେକଫାଷ୍ଟ ଦିଆଯିବ। ଅଧିକରୁ ଅଧିକ ପ୍ଲାଷ୍ଟିକ୍‌ ସଂଗ୍ରହ କରିବା ଏହି କ୍ୟାଫେର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ଲାଷ୍ଟିକ୍‌କୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ। ଏହି କ୍ୟାଫେର ନାଁ ରହିଛି ଗାର୍ବେଜ କ୍ୟାଫେ।

ଏହାସହ ପଢ଼ନ୍ତୁ: ରାସ୍ତାର ରଙ୍ଗ ନୀଳ କଲେ କମିବ ପ୍ରଦୂଷଣ, ଜାଣନ୍ତୁ କେଉଁ ଦେଶ ଆପଣାଇଛି ଏଭଳି କୌଶଳ

 

ପୂର୍ବରୁ ମଧ୍ୟ ଛତିଶଗଡ଼ରେ ପ୍ଲାଷ୍ଟିକ୍‌ ରାସ୍ତା ନିର୍ମାଣ କରାଯାଇଛି। ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ କିଲୋମିଟର ରାସ୍ତା ପ୍ଲାଷ୍ଟିକ୍‌ ବ୍ୟବହାର କରାଯାଇ ନିର୍ମାଣ ସରିଲାଣି। ପ୍ଲାଷ୍ଟିକ୍‌ ମାଟି ସହ ସମ୍ପୂର୍ଣ୍ଣ ଭାବେ ମିଶିପାରିନଥାଏ। ଫଳରେ ପର୍ଯ୍ୟାବରଣର କ୍ଷତି ଘଟେ। ବୈଜ୍ଞାନିକଙ୍କ ସୂଚନାନୁଯାୟୀ, ସାଧାରଣ ରାସ୍ତା ଅପେକ୍ଷାରେ ପ୍ଲାଷ୍ଟିକ୍‌ରେ ନିର୍ମିତ ରାସ୍ତା ତିନି ଗୁଣ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠିଥାଏ।

 

ଛତିଶଗଡ଼ର ଅମ୍ବିକାପୁରକୁ ଯିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ସର୍ଗୁଜା ଜିଲ୍ଲା ଯିବାକୁ ହେବ। ତେବେ ଅମ୍ବିକାପୁରକୁ ସିଧା କୌଣସି ବସ୍‌, ଟ୍ରେନ୍‌ ବା ଉଡାଜାହାଜ ମାର୍ଗ ନାହିଁ। ନୂଆଦିଲ୍ଲୀରୁ ଅମ୍ବିକାପୁରର ଦୂରତା ଆକାଶମାର୍ଗରେ ୮୫୬ କିଲୋମିଟର। ଅମ୍ବିକାପୁର ଯିବାକୁ ହେଲେ ନୂଆଦିଲ୍ଲୀରୁ ବାରଣାସୀ ପର୍ଯ୍ୟନ୍ତ ଯାଇ ସେଠାରୁ ଅମ୍ବିକାପୁର ଯିବେ।