Below header

କେଉଁଠୁ ଆସନ୍ତି କେଉଁଠିକୁ ଯାଆନ୍ତି ଜଣା ନାହିଁ, ଅଲିଭରିଡଲେ ଛୁଆ ଏବେ ସମୁଦ୍ର ମୁହାଁ

ବିରଳ ଅଲିଭ ରିଡ୍‌ଲେ କଇଁଛ ଛୁଆ ବାଲିରୁ ବାହାରି ସମୁଦ୍ର ମୁହାଁ । ପ୍ରତିବର୍ଷ ଏହି କଇଁଛମାନେ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶିରୁ ଓଡିଶା ଉପକୂଳକୁ ଆସି ଅଣ୍ଡା ଦେଇ ଚାଲି ଯାଆନ୍ତି।

କାକଟପୁର (କେନ୍ୟୁଜ୍‌) : ଅସ୍ତରଙ୍ଗ ଉପକୂଳରୁ ଅଣ୍ଡା ଦେଇ ଫେରିଗଲେଣି ବିରଳ ଅଲିଭ ରିଡ୍‌ଲେ କଇଁଛ। ତାପରେ ବାଲିରୁ ଛୁଆ ବାହାରି ସମୁଦ୍ର ମୁହାଁ। ଅଲିଭରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର। ଯାହାର ରହସ୍ୟ ଭେଦିବାକୁ ସକ୍ଷମ ହୋଇ ନାହାନ୍ତି ବିଶେଷଜ୍ଞ କିମ୍ବା ପ୍ରାଣୀ ବିଜ୍ଞାନୀ । ପ୍ରତିବର୍ଷ ଏହି କଇଁଛମାନେ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶିରୁ ଓଡିଶା ଉପକୂଳକୁ ଆସି ଅଣ୍ଡା ଦେଇ ଚାଲି ଯାଆନ୍ତି। ତାପରେ ବାଲିରୁ ଆପେ ଆପେ ଛୁଆ ବାହାରି ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲି ଯାଆନ୍ତି। ହୁଏତ ପୁଣି ଏମାନେ ବଡ଼ ହୋଇ ଏଇଠାକୁ ଆସନ୍ତି ଅଣ୍ଡା ଦେବା ପାଇଁ । ହେଲେ ଏ ପ୍ରକ୍ରିୟା କିଭଳି ଚାଲିଛି କାହିଁକି ହଜାର ହଜାର ମାଇଲ୍‌ ଆସି ଓଡ଼ିଶା ଉପକୂଳରେ ଅଣ୍ଡା ଦିଅନ୍ତି ତାକୁ ବୁଝିବା କଷ୍ଟକର । କଇଁଛ ଛୁଆଙ୍କର ବାହୁଡିବା ବେଳର ଦୃଶ୍ୟ ଏତେ ଆକର୍ଷଣୀୟ ଯେ ଦେଖିଲେ ଆଖି ଲାଖିଯିବ । ଗ୍ରାଉଣ୍ଡ ଜିରୋରୁ ସ୍ପେଶାଲ ରିପୋର୍ଟ ।

ବିରଳ ସାମୁଦ୍ରିକ ଜୀବ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପର୍ବ ସରି ଯାଇଛି। ଅଣ୍ଡାଦାନ ପାଇଁ ପ୍ରତି ବର୍ଷ ହଜାର ହଜାର କିଲୋମିଟର ଅତିକ୍ରମ କରି ଓଡିଶା ଉପକୂଳକୁ ଚାଲି ଆସିଥାନ୍ତି ଏହି କଇଁଛମାନେ। ଏହି କଇଁଛ ମାନଙ୍କର ବାସସ୍ଥାନ ଭାରତ ମହସାଗର,ଓ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶି। ଅଣ୍ଡାଦାନ ବେଳେ ଏମାନେ ପୃଥିବୀର ପାଞ୍ଚଟି ସ୍ଥାନକୁ ପସନ୍ଦ କରିଥାନ୍ତି। ସେଥିରୁ ଓଡିଶାରେ ରହିଛି ତିନୋଟି ସ୍ଥାନ। ଗହୀରମଥା, ଋଷିକୂଲ୍ୟା ଓ ଦେବୀ ମୁହାଁଣ ଅଞ୍ଚଳ। ପ୍ରତିବର୍ଷ ନଭେମ୍ବରରେ ଅସ୍ତରଙ୍ଗ ଦେବୀ ମୁହାଁଣ ଅଞ୍ଚଳର ସମୁଦ୍ର ମଧ୍ୟକୁ କଇଁଛମାନେ ଆସିଥାନ୍ତି। ଡିସେମ୍ବରରୁ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥାଏ ମିଳନ ପ୍ରକ୍ରିୟା। ଓଡିଶା ଉପକୂଳର ଅଣ୍ଡାଦାନ ସ୍ଥଳକୁ ଏହି ଜୀବମାନେ କାହିଁକି ଅଧିକ ପସନ୍ଦ କରିଥାନ୍ତି? କାରଣ ହେଉଛି କଇଁଛଙ୍କ ଅଣ୍ଡା ଦାନ ପାଇଁ ଉତ୍କଷ୍ଟ ଭିତ୍ତିଭୂମି। ସରୁବାଲିର ଅକ୍ଷୟ ଭଣ୍ଡାର ରହିଛି ଏଠାରେ।

OLIVE-1

ଏଠାରେ ସେମାନଙ୍କର ପ୍ରିୟ ଖାଦ୍ୟ ଜେଲି ଫିଶ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ସେଥିପାଇଁ ପ୍ରତିବର୍ଷ ଓଡିଶାର ଦେବି ମୁହାଣ, ଋଷିକୂଲ୍ୟା ଓ ଗହୀରମଥାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଅଲିଭରିଡଲେ କଇଁଛ ଛୁଟି ଆସିଥାନ୍ତି। ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ଏହି କଇଁଛଙ୍କର ସଂଗମ ପ୍ରକ୍ରିୟା ଚାଲିଥାଏ। ସଂଗମ ପ୍ରକ୍ରିୟାର ୪୫ରୁ ୫୦ ଦିନ ମଧ୍ୟରେ ମାଈ ଅଲିଭରିଡଲେ କଇଁଛ ଅଣ୍ଡାଦାନ ସମୁଦ୍ର କୂଳର ବାଲୁକା ରାଶି ଉପରକୁ ଉଠିଆସିଥାନ୍ତି। ବାଲିରେ ଗାତ ଖୋଳି ସେଥିରେ ଅଣ୍ଡା ଦେଇଥାନ୍ତି କଇଁଛ। ଗୋଟିଏ ମାଇ କଇଁଛ ଥରକେ ୮୦ରୁ ୧୨୦ଟି ଅଣ୍ଡା ଦେଇଥାନ୍ତି। ସେହି ଅଣ୍ଡାକୁ ପୋତିଦେଇ ସମୁଦ୍ରକୁ ଫେରି ଯାଇଥାନ୍ତି।

ଅଲିଭରିଡଲେ କଇଁଛମାନେ ଦେବୀ ମୁହାଁଣ ଅବବାହିକାର ସମୁଦ୍ର ଉପକୂଳରେ ଅଣ୍ଡାଦାନ ସାରି ଫେରିଯିବା ପରେ ଅସ୍ତରଙ୍ଗ ବନବିଭାଗ କର୍ମଚାରୀଙ୍କର ଅଣ୍ଡାଗୁଡିକର ସୁରକ୍ଷା ପାଇଁ ଦାୟିତ୍ୱ ବଢିଯାଇଥାଏ। ବନବିଭାଗ କର୍ମଚାରୀ ମାନେ ସକାଳୁ ସକାଳୁ ସମୁଦ୍ର କୂଳେ କୂଳେ ବାହାରି ପଡନ୍ତି ଅଣ୍ଡାଦାନ ସ୍ଥଳକୁ। ସେଠାରୁ ବନ କର୍ମଚାରୀ ଅଣ୍ଡାଗୁଡିକୁ ଆଣି ଏକ ଅସ୍ଥାୟୀ ହାଚେରୀରେ ସୁରକ୍ଷିତ ଭାବେ ରଖିଥାନ୍ତି। ଅଣ୍ଡାଦାନର ୪୫ରୁ ୬୦ ଦିନ ମଧ୍ୟରେ ନୂଆ ଶିଶୁ ଶାବକ ସୃଷ୍ଟି ହୋଇ ବାଲିଭିତରୁ ବାହାରକୁ ଆସିଥାଏ। ଅଣ୍ଡା ଭିତରୁ ଛୁଆ ସୃଷ୍ଟି ହୋଇ ବାଲିଭିତରୁ ବାହାରକୁ ବାହାରୁଥିବାର ଚିତ୍ର ଦେଖିବା ବେଶ ରୋମାଞ୍ଚକର।

ପ୍ରକୃତି ପ୍ରତେକ ଜୀବଙ୍କ ପାଇଁ ଭିନ୍ନ ଭିନ୍ନ ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହି ଅଲିଭରିଡଲେ ଶିଶୁଶାବକ ପ୍ରକୃତିର ଇସାରାରେ ଦେଢ ଫୁଟରୁ ଦୁଇଫୁଟ ଗଭୀର ବାଲୁକାରାଶିର ଛାତି ଚିରି ନୂତନ ସୂର୍ଯ୍ୟକୁ ଦେଖିବାକୁ ସତେ ଯେପରି ବ୍ୟାକୁଳ ହୋଇପଡନ୍ତି। ଶାବକ ଗୁଡିକ ବାଲିଭିତରୁ ବାହାରକୁ ଆସିଲା ପରେ ବନକର୍ମଚାରୀ ସେମାନଙ୍କୁ ପ୍ଲାଷ୍ଟିକ ବାଲଟି ଭିତରେ ରଖି ସମୁଦ୍ର କୂଳରେ ଛାଡି ଦେଇଥାନ୍ତି। ସେଠାରେ ଶିଶୁ ଶାବକଙ୍କୁ ଛାଡିଦେବା ପରେ ସେମାନେ ସମୁଦ୍ରରେ ଶବ୍ଦକୁ ଅନୁକରଣ କରି ସମୁଦ୍ର ମଧ୍ୟକୁ ଚାଲି ଯାଇଥାନ୍ତି।

ସମୁଦ୍ର ମଧ୍ୟକୁ ଏହି ଶାବକମାନେ ଯାଉଥିବା ସମୟରେ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥାଏ। କୁନି କୁନି ଗୋଡରେ ଛୋଟ ଛୋଟ ପାହୁଣ୍ଡ ପକାଇ ସମୁଦ୍ର ଭିତରକୁ ଅଗ୍ରସର ହେଉଥିବା ଏହି ଶାବକ ମାନେ ଏକ ନୂତନ ସକାଳ ଆଉ ଏକ ନୂଆପିଢିର ସ୍ୱପ୍ନକୁ ସାକାର କରିବାକୁ ବାହାରି ଯାଆନ୍ତି। ଜନ୍ମଭୂମିକୁ ବିଦାୟ ଦେଇ ଚାଲିଯାନ୍ତି ହଜାର ହଜାର ମାଇଲ ଦୂରକୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.