ଭଞ୍ଜନଗର (କେନ୍ୟୁଜ): ଉଚ୍ଚ ଚାକିରି ଛାଡ଼ି ଛେଳି ଚରାଇଲେ। ନିଜର ଅପାରଗତା କିମ୍ବା ଅସ୍ୱାଭାବିକ କାରଣରୁ ନୁହଁ। ବରଂ ନିଜ ଚିନ୍ତାଧାରାର ନିଷ୍ଠୁର ସତ୍ୟକୁ ମୂଲ୍ୟାୟନ ପାଇଁ ମୋଟାଅଙ୍କର ଦରମାର ମୋହ ଅଟକାଇ ପାରିଲାନି ତାଙ୍କ ସ୍ୱାଭିମାନକୁ। ନିଜ ବାବୁ-ପଣିଆକୁ ସାବ୍ୟସ୍ତ କରିବା ପାଇଁ କାହା ପାଖରେ ରହିବାକୁ ଇଚ୍ଛା କଲେନି। ସବୁ ପ୍ରତିକୂଳ ପରିସ୍ଥିତିକୁ ପଛକରି ଆଗକୁ ବଢିବାର ଭିନ୍ନ ଏକ ପ୍ରୟାସ। ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି। ଏମିତି ଜଣେ ଭିନ୍ନ ମଣିଷ ହେଲେ ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ ବି.ଡି.ପୁର ଗାଁର ସନ୍ତୋଷ କୁମାର ରଥ।
ଛେଳି ଗୁହାଳରୁ ଆରମ୍ଭ ହୁଏ , ତାଙ୍କର ପ୍ରତ୍ୟେକ ସକାଳ। ଦିନ ତମାମ ସେମାନଙ୍କୁ ଚରାନ୍ତି। ସଞ୍ଜ ନଇଁଲେ ଘରକୁ ଫେରି ଆସନ୍ତି। ସନ୍ଧ୍ୟାରୁ ରାତି ଯାଏଁ, ସେମାନଙ୍କ ଚିକିତ୍ସାରେ ବ୍ୟସ୍ତ ରୁହନ୍ତି ସନ୍ତୋଷ। ତାଙ୍କ ପରିଚୟ, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟଶୈଳୀ ଚିନ୍ତାଧାରା ବିଷୟରେ ଜାଣିଲେ ଯେକେହି ବି ଘଡ଼ିଏ ଭାବିବାକୁ ବାଧ୍ୟ ହେବ। ପୁରା ନାଁ ସନ୍ତୋଷ କୁମାର ରଥ। ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବି.ଡି.ପୁର ଗାଁରେ। ଶିକ୍ଷାଗତ ଯୋଗ୍ୟତା ଇନଷ୍ଟ୍ୟମେଣ୍ଟ୍ର ଇଞ୍ଜିନିୟରିଂରେ ଡିପ୍ଲୋମା। ଏହାସହ ସେ ଗୋଟ୍ ଫାର୍ମିଂର ତାଲିମ ମଧ୍ୟ ନେଇଛନ୍ତି। ଏବେ ସେ ବେଲଗୁଣ୍ଠା ବ୍ଳକ ବାଲିଭାଗ ନିକଟସ୍ଥ ଶ୍ରୀକରପୁର ବ୍ରାହ୍ମଣ ଶାସନ ଗାଁରେ କିଛି ଜାଗା ନେଇ ଛେଳି ଚାଷ ଆରମ୍ଭ କରିଛନ୍ତି। କଲେଜ ସରିବା ପରେ ଘରର ଆର୍ଥିକ ଅବସ୍ଥା ପାଇଁ ସେ ମହାରାଷ୍ଟ୍ର ଚାଲିଗଲେ। ସେଠାରେ ସେ ଏକ କମ୍ପାନୀରେ କାମ କଲେ। ଇଚ୍ଛା ଥିଲା ଅଧିକ ପାଠ ପଢ଼ିବାପାଇଁ। ସେହି କମ୍ପାନୀରେ କାମ କରିବା ସହ ଇନଷ୍ଟମେଣ୍ଟ ଇଞ୍ଜିନିୟରିଂରେ ଡିପ୍ଲୋମା କଲେ।
ସେହି ଅନୁସାରେ ସେ କମ୍ପାନୀରେ ଚାକିରି କରି ମୋଟା ଅଙ୍କର ଦରମା ପାଇଲେ। ଏହାସହ ସେ ଗୋଟ୍ ଫାର୍ମିଂରେ ତାଲିମ ବି ନେଲେ। କୋଭିଡ୍ ବଳେ ସେଠାକାର କମ୍ପାନୀ ପ୍ରଭାବିତ ହେଲା। ଆଉ ଚାକିରି କରିବେନି ବୋଲି ସ୍ଥିର କରି ସନ୍ତୋଷ ଗାଁକୁ ଚାଲିଆସିଲେ। ପ୍ରଥମେ ୧୪ଟି ଛେଳି କିଣି ସମ୍ପର୍କୀୟଙ୍କ ଗାଁ ଶ୍ରୀକରପୁରରେ ଛେଳିଚାଷ ଆରମ୍ଭ କଲେ ସନ୍ତୋଷ। ପ୍ରତିଦିନ ନିଜେ ଛେଳିଙ୍କୁ ଚଳାଇବାକୁ ନିଅନ୍ତି। ସେମାନଙ୍କ ଚିକିତ୍ସା ମଧ୍ୟ ନିଜେ କରନ୍ତି। ଏବେ ତାଙ୍କର ଛେଳି ସଂଖ୍ୟା ୫୭ ହଲାଣି। ଏହାସହ ମାଛ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ନିଜ ବୃତ୍ତିରେ ନେଜେ ମାଲିକ, ନିଜେ କର୍ମଚାରୀ। ଏହାହିଁ ସନ୍ତୋଷଙ୍କ ଆଦର୍ଶ। ସନ୍ତୋଷଙ୍କ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରୁଛନ୍ତି ଅଂଚଳବାସୀ। ପାଠ, ଚାକିରି ଏବଂ ମୋଟା ଦରମା ପାଇ ବଡ ମଣିଷ ହେବା ଅପେକ୍ଷା ଜଣେ ଭଲ ମଣିଷ ହେବାକୁ ସେ ଚାହିଁଛନ୍ତି। ପାଠପଢା ପରେ ଅଧିକାଂଶ ଯୁବପିଢି ଚାକିରି ଦୌଡରେ ରହୁଛନ୍ତି। ଫଳରେ ଚାଷ ଏବଂ ପଶୁପାଳନ ବୃତ୍ତି ଧିରେଧିରେ କମିଯାଉଛି।