Below header

ବାଉନ ବଜାର ତେପନ ଗଳିରରେ ଅନୁଭୂତ ହେଲାଣି ଶାରଦୀୟ ଦୁର୍ଗା ପୂଜାର ମାହୋଲ, ଚାନ୍ଦି ମେଢ଼କୁ ନେଇ ପ୍ରତିଯୋଗିତା

ମା ଦୁର୍ଗାଙ୍କ ଆଗମନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି କଟକ ସହର ବାସୀ। ବେଶ ପୁରୁଣା ଏହି ସହରରେ ଏବେ ଠାରୁ ଅନୁଭୂତ ହେଲାଣି ଶାରଦୀୟ ଦୁର୍ଗା ପୂଜାର ମାହୋଲ । ବାଉନ ବଜାର ତେପନ ଗଳିର ଏଇ ସହରରେ ଏବେ ୧୭୦ ପାଖାପାଖି ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଛି ଦୁର୍ଗା ପୂଜା।

କଟକ (କେନ୍ୟୁଜ୍): ମା ଦୁର୍ଗାଙ୍କ ଆଗମନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି କଟକ ସହର ବାସୀ। ବେଶ ପୁରୁଣା ଏହି ସହରରେ ଏବେ ଠାରୁ ଅନୁଭୂତ ହେଲାଣି ଶାରଦୀୟ ଦୁର୍ଗା ପୂଜାର ମାହୋଲ । ବାଉନ ବଜାର ତେପନ ଗଳିର ଏଇ ସହରରେ ଏବେ ୧୭୦ ପାଖାପାଖି ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଛି ଦୁର୍ଗା ପୂଜା। ତେବେ ରୌପ୍ୟ ନଗରୀ କଟକ ସହରରେ ବିଗତ କିଛି ବର୍ଷ ଧରି ଚାନ୍ଦି ମେଢ଼କୁ ନେଇ ଦେଖିବାକୁ ମିଳିଛି ବେଶ ପ୍ରତିଯୋଗିତା।

ଚଳିତ ବର୍ଷ ମହମଦିଆ ବଜାର, କାଫଲା ବଜାର, ନିମଚୌଡି ଓ ନିମ ସାହି ପୂଜା ମଣ୍ଡପଗୁଡିକରେ ନୂଆ କରି ଶୋଭା ବର୍ଦ୍ଧନ କରିବ ଚାନ୍ଦି ମେଢ଼। ଏବେ ଠାରୁ ଆରମ୍ଭ ହୋଇ ଗଲାଣି କାମ। ଚାନ୍ଦି ସଫା ସଫି ସାଙ୍ଗକୁ ନୂଆ ଚାନ୍ଦି ମେଢ଼ ନିର୍ମାଣ ମଧ୍ୟ ବେଶ ଆଗେଇ ଗଲାଣି। ଆପଣ ଦେଖନ୍ତୁ କିଭଳି ସେହି ପୁରୁଣା ପାରମ୍ପରିକ ଶୈଳୀରେ ରିଠା ଫଳ ଫେଣ ପାଣିରେ ବୁଡାଇ ବୁଡାଇ ସଫା କରାଯାଉଛି ଚାନ୍ଦି ମେଢ଼ର ବିଭିନ୍ନ ଅଂଶ ଗୁଡିକୁ।

୧୯୫୬ ମସିହାରେ କଟକ ସହରର ପ୍ରଥମ ଚାନ୍ଦି ମେଢ଼ ଶୋଭା ପାଇଥିଲା ଚୌଧୁରୀ ବଜାର ପୂଜା ମଣ୍ଡପରେ। ଏହା ପରେ ୧୯୯୧ ମସିହାରେ ଶେଖ ବଜାର ପୂଜା ମଣ୍ଡପରେ ଶୋଭା ପାଇଲା ଚାନ୍ଦି ମେଢ଼। ଏହା ପରେ ତୃତୀୟ ଚାନ୍ଦି ମେଢ଼ର ଗୌରବ ଅର୍ଜନ କଲା ଅଲିସା ବଜାର ପୂଜା କମିଟି । ସମୟ କ୍ରମେ ବଢି ଚାଲିଲା ଏହି ସଂଖ୍ୟା। ଗତ ୨୦୧୫ ବେଳକୁ କଟକ ସହରରେ ଚାନ୍ଦି ମେଢ଼ ସଂଖ୍ୟା ପହଂଚି ଥିଲା ୨୧ ରେ। ୨୦୧୭ ବେଳକୁ ଏହା ବୃଦ୍ଧି ପାଇଲା ୨୪ କୁ। ଏହିପରି ଭାବରେ ଏବେ ଏହି ସଂଖ୍ୟା ଆସି ୩୨ ଛୁଇଁ ଲାଣି। ଆସନ୍ତା ୫ ବର୍ଷ ଭିତରେ ଏହି ସଂଖ୍ୟା ୫୦ ଛୁଇଁ ପାରେ ବୋଲି ଅନୁମାନ କରାଯାଉଛି। ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି କଟକ ସହରରେ ଚାନ୍ଦି ମେଢ଼କୁ ନେଇ।

ସିଲଭର କ୍ଲବରେ ସାମିଲ ହେବା ପାଇଁ ଏକ ଭଲ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳିଛି କଟକ ସହରରେ। କେବଳ ଦୁର୍ଗାପୂଜା-କାଳୀପୂଜା ନୁହେଁ, ଗଣେଶପୂଜା, ଲକ୍ଷ୍ମୀ ପୂଜା, ଖୁଦୁରୁକୁଣୀ ପୂଜାରେ ମଧ୍ୟ ଦେଖିବାକୁ ମିଳିଲାଣି ଚାନ୍ଦିର ଚମକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.