Below header

ବଦନାମ୍ ଗଳି, କେମିତି ଦିଆଗଲା ନାଁ ସୋନାଗାଛି

ସୋନାଗାଛି । ଏଇ ନାଁଟି ଯଥେଷ୍ଟ ଏହାର ପରିଚୟ ଦେବାକୁ । ୧୫ ହଜାରରୁ ଅଧିକ ଦେହଜୀବୀ । ଏଠି ଦୈନିକ ଚାଲେ ଦେହ ବେପାର । ଏସିଆର ସବୁଠାରୁ ବଡ଼ ରେଡ୍ ଲାଇଟ୍ ଏରିଆ । କୋଲକତାର ଏହି ଜାଗାଟି ହାଓଡ଼ା ଷ୍ଟେସନ୍‌ରୁ ମାତ୍ର ୩ କିଲୋମିଟର ଦୂରରେ ।
ପ୍ରାୟ ୧୫ ବର୍ଷ ପୂର୍ବରୁ ସୁମିତ୍ରା ନାମକ ଜଣେ ମହିଳା ବେଶ୍ୟାଳୟ ଚଳାଉଥିଲେ । ତାଙ୍କରି ଅଧୀନରେ ଥିଲା ଏହି ସୋନାଗାଛି ଅଞ୍ଚଳ । ଧୀରେ ଧୀରେ ତାହା ବ୍ୟାପିଗଲା । ଘର ଉପରେ ଘର ତିଆରି ହେଲା । କୋଠରୀ ବଢ଼ିଲା ଆଉ ତା ସାଙ୍ଗକୁ ବଢ଼ି ଚାଲିଲା ଦେହଜୀବୀ ଓ ଗ୍ରାହକଙ୍କ ସଂଖ୍ୟା ।

‘ସୋନାଗାଛି’ର ଅର୍ଥ ହେଉଛି ସୁନାର ଗଛ । ତେବେ ଏହି ନାମଟି କେମିତି ଆସିଲା ? କିଏ ଦେଲା ? ତା ପଛରେ ରହିଛି ଏକ ବଢ଼ିଆ କାହାଣୀ । ଐତିହାସିକ ପି.ଟି. ନାୟାର । ଯିଏକି ଖାଲି ପାଦରେ କୋଲକାତାର ଗଳିକନ୍ଦିରେ ବୁଲୁଥିଲେ । ସେ ହିଁ ଖୋଜିଛନ୍ତି କିଭଳି ଦିଆଗଲା ସୋନାଗାଛି ନାମ । ଶୁଣା କଥା ଅନୁସାରେ ଏହି ଅଞ୍ଚଳରେ ଜଣେ ମୁସଲମାନ ଡକାୟତ ସନାଉଲ୍ଲା ନିଜ ମା ସହିତ ରହୁଥିଲା । ସେ ମରିଗଲା ପରେ ମା ତାର ଏକା ହୋଇଗଲା । ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଦିନେ କା’କୁ ତାର କୁଡ଼ିଆ ବାହାରୁ ଏକ ସ୍ୱର ଶୁଭିଲା । ଯେମିତି ପୁଅ ସନାଉଲ୍ଲା କହୁଛି, ମା ତୁ କାନ୍ଦନା ମୁଁ ଗାଜି ବା ମହାପୁରୁଷ ହୋଇଗଲିଣି । ଏହା ପରେ ତାର ମା ସେଠାରେ ହୁକୁମ ଦେବା ଆରମ୍ଭ କଲା ଏବଂ ହଜାର ହଜାର ଲୋକ ଆସି ରୋଗ ଭଲ କରିବା ଏବଂ ସୁଖୀ ଜୀବନ ବିତାଇବା ପାଇଁ ସେଠାରୁ ହୁକୁମ ନେଲେ । ପରେ ସନାଉଲ୍ଲାର ମା ପୁଅର ସ୍ମୃତିରେ ସେଠାରେ ଏକ ଅତି ସୁନ୍ଦର ମସଜିଦ ତିଆରି କଲେ । ଯାହାର ନାଁ ଦିଆଗଲା ସୋନାଗାଜି । ହେଲେ ମା ମରିଯିବା ପରେ ଧୀରେ ଧୀରେ ସବୁକିଛି ନିଶ୍ଚିହ୍ନ ହୋଇଗଲା । ସୋନାଗାଛିର ମଝିରେ କେବଳ ରହିଛି ଏହି ଦରଘାଟି । ତେବେ ସମୟ କ୍ରମେ ସୋନାଗାଜି ଅଞ୍ଚଳ ପାଲଟିଗଲା ‘ସୋନାଗାଛି’ ।

ତେବେ ସୋନାଗାଛି କିଭଳି ଏକ ରେଡ୍‌ଲାଇଟ୍ ଏରିଆ ପାଲଟିଗଲା ତାର ଇତିହାସ କାହାପାଖରେ ନାହିଁ । କିନ୍ତୁ କୁହାଯାଇ ପାରିବ ଯେ ପରିସ୍ଥିତି ହିଁ ଏଥିପାଇଁ ଦାୟୀ । ଏଠାରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଓ ମହିଳାମାନେ ଦେଶର ବିଭିନ୍ନ ଭାଗରୁ ଚାଲି ଆସିଛନ୍ତି । ପ୍ରତି ଜୀବନ ପଛରେ ରହିଛି ଏକ ବାସ୍ତବ କାହାଣୀ । କେହି ଖୁସିରେ ନୁହେଁ, କେବଳ ପରିସ୍ଥିତିରେ ପଡ଼ି ଏଭଳି ଜୀବନ ଆପଣାଇ ନେଇଛନ୍ତି । ଯେଉଁଠାରୁ ଫେରିବା ଆଉ ସମ୍ଭବ ନୁହେଁ ବୋଲି ସେମାନେ ଜାଣନ୍ତି । ଅବଶ୍ୟ ସମୟ ବଦଳିବା ସହ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏମାନଙ୍କ ପରିସ୍ଥିତି ବଦଳାଇବା ଏବଂ ସେମାନଙ୍କ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଉଦ୍ୟମ ଚଳାଇଛନ୍ତି । କେତେକ କ୍ଷେତ୍ରରେ ସଫଳ ବି ହୋଇଛନ୍ତି । ହେଲେ ଏଇ ଦୁନିଆରେ ଭଲ ଓ ଖରାପ ପରିସ୍ଥିତି ସୃଷ୍ଟି କରେ ଏଇ ମଣିଷ । ତେଣୁ ପରିସ୍ଥିତିର ଦାସ ହୋଇ ପୁଣି କେହି ଯୁବତୀ ଚାଲି ଆସେ ଏଠିକି । କେହି ନିଜ ଇଚ୍ଛା ବୀ ଅନିଚ୍ଛାରେ ଆଉ କେହି ଜୋରଜବରଦସ୍ତି । ଶରଣ ପଶେ ସୋନାଗାଛିର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.