ସିଡନୀ ଟେଷ୍ଟରେ ବିଶାଳ ସ୍କୋର, ଭାରତର ୬୨୨/୭ରେ ପ୍ରଥମ ପାଳି ଘୋଷଣା

ସିଡନୀ : ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ରନ୍ ବର୍ଷା । ଚେତେଶ୍ୱର ପୂଜାରାଙ୍କ ପରେ ଓ୍ଵିକେଟ୍ କିପର ୠଷଭ ପନ୍ତଙ୍କ ଶତକ । ଫଳରେ ଚତୁର୍ଥ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟରେ ଭାରତ ପ୍ରଥମ ଇନିଂସ୍ରେ ୭ ଓ୍ଵିକେଟ୍ ହରାଇ ୬୨୨ ରନ୍ କରି ପାଳି ଘୋଷଣା କରିଛି । ଏହା ପରେ ବ୍ୟାଟିଂ ଆରମ୍ଭ କରି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ଦଳ ବିନା ଓ୍ଵିକେଟ୍ରେ କରିଛି ୨୪ ରନ୍ ।
ପୂଜାରା ୭ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ
ଗତକାଲି ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ମଧ୍ୟ ଖୁବ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ତେବେ ଲାୟନ୍ଙ୍କ ବୋଲିଂରେ ତାଙ୍କରି ଆହତକୁ କ୍ୟାଚ୍ ଦେଇ ମାତ୍ର ୭ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ଟେଷ୍ଟ କ୍ୟାରିୟରର ୧୮ତମ ଶତକ କରିଥିବା ପୂଜାରା ୩୭୩ ବଲ୍ ଖେଳି ୨୨ଟି ଚୌକା ସହିତ ୧୯୩ ରନ୍ ସ୍କୋର କରିଥିଲେ ପୂଜାରା ।
ପନ୍ତଙ୍କ ଦ୍ୱିତୀୟ ଶତକ
ଅନ୍ୟପକ୍ଷରେ ପନ୍ତ ମଧ୍ୟ ବେଶ୍ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ନିଜ ଇନିଂସ୍କୁ ଭଲ ଭାବେ ଜମାଇବା ପରେ ଦ୍ୱିତୀୟ ଟେଷ୍ଟ ଶତକ କରିଥିଲେ । ଏହା ହେଉଛି ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର । ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ଓଭାଲ ଠାରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥଲେ । ସେ ୧୮୯ ବଲ୍ ଖେଳି ୧୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଅପରଜିତ ୧୫୯ ରନ୍ ସ୍କୋର କରିଛନ୍ତି ।
ଏହା ସହିତ ଭାରତ ପକ୍ଷରୁ ଅଷ୍ଟ୍ରେଲିଆ ମାଟିରେ ସର୍ବକନିଷ୍ଠ ଭାବେ ଶତକ ହାସଲ କରି ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ପନ୍ତ । ୧୯୯୨ରେ ତେନ୍ଦୁଲକରଙ୍କୁ ୧୮ ବର୍ଷ ୨୬୫ ଦିନ ବୟସ ହୋଇଥିବା ବେଳେ ସେ ଏହି ସିଡନୀରେ ଅପରାଜିତ ୧୪୮ ରନ୍ ସ୍କୋର କରିଥିଲେ ।
ସେପଟେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କର ଦଶମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ । ପନ୍ତ ଓ ଜାଡେଜା ସପ୍ତମ ଓ୍ଵିକେଟ୍ରେ ୨୦୨ ରନ୍ ର ଭାଗିଦାରୀ କରିଥିଲେ । ଜାଡେଜା ୮୧ ରନ୍ କରି ଆଉ୍ ହେବା ପରେ ଅଧିନାୟକ ବିରାଟ କୋହଲି ପାଳି ସମାନ୍ତି ଘୋଷଣା କରିଥିଲେ ।
ସିଡନୀ ଗ୍ରାଉଣ୍ଡରେ ୬୨୨ ରନ୍ ହେଉଛି ଭାରତର ଦ୍ୱିତୀୟ ସର୍ବାଧିକ ଦଳୀୟ ସ୍କୋର୍ । ପୂର୍ବରୁ ୨୦୦୪ରେ ଭାରତ ସର୍ବାଧିକ ୭ ଓ୍ଵିକେଟ୍ରେ ୭୦୫ ରନ୍ କରିଥିଲା ।
ସ୍କୋର : ଭାରତ ପ୍ରଥମ ଇନିଂସ୍ ୬୨୨/୭, ପାଳି ଘୋଷଣା, ୧୬୭.୨ ଓଭର (ମୟଙ୍କ ୭୭, ପୂଜାରା ୧୯୩, ବିହରୀ ୪୨, ପନ୍ତ ଅପରାଜିତ ୧୫୯, ଜାଡେଜା ୮୧ । ଲାୟନ୍ ୪/୧୭୮, ହାଜେଲଉଡ୍ ୨/୧୦୫) ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍-୨୪/୦, ୧୦ ଓଭର ।