ଏସିଆନ କ୍ରିକେଟ କାଉନସିଲ ଅଧ୍ୟକ୍ଷ ହେଲେ ବିସିସିଆଇ ସଚିବ ଜୟ ଶାହ, ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ

ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି ବିସିସିଆଇ ସଚିବ ଜୟ ଶାହ। ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ମଞ୍ଜୁରୀ ମିଳିଛି ।

ବିସିସିଆଇ ସଚିବ ଜୟ ଶାହ ଲଗାତାର ତୃତୀୟ ଥର ପାଇଁ ଏସିଆନ କ୍ରିକେଟ କାଉନସିଲ ବା ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ମଞ୍ଜୁରୀ ମିଳିଛି ।

ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)ର ଅଧ୍ୟକ୍ଷ ଶାମ୍ମି ସିଲଭା ପ୍ରସ୍ତାବ ଆଗତ କରିଥିଲେ । ଏହା ପୂର୍ବରୁ ମଧ୍ୟ ଶାମ୍ମି ସିଲଭା ଜୟ ଶାହଙ୍କ ନାମ ଆଗତ କରିଥିଲେ । ଏହାପରେ ସର୍ବସମ୍ମତି କ୍ରମେ ଜୟ ଶାହଙ୍କ ନାମରେ ମୋହର ବାଜିଛି । ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଏସିସି ପକ୍ଷରୁ ଏକ ବୟାନ ଜାରି କରି ସୂଚନା ଦିଆଯାଇଛି । ଗତ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଜୟ ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ ।

ତେବେ ଏହି କାର୍ଯ୍ୟକାଳ ବୃଦ୍ଧିରେ ଜୟ ନିଜ ନାମରେ ଏକ ନୂଆ ରେକର୍ଡ କରିଛନ୍ତି । ଏଥିସହିତ ଜଣେ ସର୍ବକନିଷ୍ଠ ପ୍ରଶାସକ ଭାବେ ସେ ଏସିସିର ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ପାଇବାର ଗୌରବ ଲାଭ କରିଛନ୍ତି ।

ସୂଚନାଯୋଗ୍ୟ, ଇଣ୍ଡୋନେସିଆ ବାଲିରେ ଏସିଆନ କ୍ରିକେଟ କାଉନସିଲର ବାର୍ଷିକ ବୈଠକ ଚାଲିଛି । ଏହି ବୈଠକରେ ଏସିଆନ କ୍ରିକେଟ କାଉନସିଲର ସମସ୍ତ ସଦସ୍ୟ ଭାଗ ନେଇଛନ୍ତି । ଏସିଆ କପ୍‌ ୨୦୨୫ ଦିନିକଆ ପରିବର୍ତ୍ତେ ଟି୨୦ ଫର୍ମାଟରେ ଖେଳାଯିବ । ଏସିଆ କପ୍‌ ୨୦୨୪ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା । ଏହାକୁ ଶ୍ରୀଲଙ୍କା ଆୟୋଜନ କରିଥିଲା । ତେବେ ୨୦୨୫ ଏସିଆ କପ୍‌ ଓମାନ କିମ୍ବା ୟୁଏଇରେ ଖେଳାଯାଇପାରେ ।