Below header

ଚାଲିଛି ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’, ଅନନ୍ୟ ଆକର୍ଷଣ ସାଜିଛି ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା କରୁଣା ସିଲ୍କ

ଓଡ଼ିଶାର ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ହେଉଛି ଅନନ୍ୟ। ଶିଳ୍ପୀ ଓ ବୁଣାକାରମାନେ ସେମାନଙ୍କ ନିଖୁଣ କାରିଗରି ମାଧ୍ୟମରେ ଏହାକୁ ସାକାର ରୂପ ଦେଉଛନ୍ତି । ଲୋକମାନଙ୍କ ପାଖରେ ଏହାକୁ ପହଞ୍ଚାଇବାରେ ଏକ ବଡ଼ ମାଧ୍ୟମ ପାଲଟିଛି ‘ତୋଷାଳି’ ମେଳା ।

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି ଏହି ଜାତୀୟ ସ୍ତରୀୟ ମେଳା । ଏଥିରେ ଓଡ଼ିଶା ଓ ବିଭିନ୍ନ ରାଜ୍ୟର ଆକର୍ଷଣୀୟ ଉତ୍ପାଦର ପ୍ରଦର୍ଶନୀ ଓ ବିକ୍ରି କରାଯାଉଛି । ଏହାକୁ କିଣିବା ପାଇଁ ଲୋକମାନଙ୍କର ଭିଡ଼ ଜମୁଛି ।

ଓଡ଼ିଶାର ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ହେଉଛି ଅନନ୍ୟ । ଶିଳ୍ପୀ ଓ ବୁଣାକାରମାନେ ସେମାନଙ୍କ ନିଖୁଣ କାରିଗରି ମାଧ୍ୟମରେ ଏହାକୁ ସାକାର ରୂପ ଦେଉଛନ୍ତି । ଲୋକମାନଙ୍କ ପାଖରେ ଏହାକୁ ପହଞ୍ଚାଇବାରେ ଏକ ବଡ଼ ମାଧ୍ୟମ ପାଲଟିଛି ‘ତୋଷାଳି’ ମେଳା ।

ଚଳିତ ତୋଷାଳି ମେଳାରେ ଆକର୍ଷଣ ପାଲଟିଛି ସ୍ୱତନ୍ତ୍ର ‘ଥିମ୍ ପାଭିଲିୟନ’ । ଏଠାରେ ସ୍ଥାନ ପାଇଛି ଓଡ଼ିଶାର ଜନଜାତି କଳାକୃତି ସହିତ ଜିଆଇ ମାନ୍ୟତା ପାଇଥିବା ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ । ସମ୍ବଲପୁରୀ ବାନ୍ଧ ଶାଢ଼ି, ହବସପୁରୀ ଶାଢ଼ି, ଧଳାପଥର ପରଦା, ଗୋପାଳପୁରର ପ୍ରସିଦ୍ଧ ରେଶମ ପୋଷାକ, ଓଡ଼ିଶା ଇକତ ଶାଢ଼ି ଓ ଖଣ୍ଡୁଆ ପାଟ ଆଦି ପ୍ରଦର୍ଶନ କରାଯାଉଛି ।

ସେହିପରି ପାଭିଲିୟନର ଅନନ୍ୟ ଆକର୍ଷଣ ସାଜିଛି ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା କରୁଣା ସିଲ୍କ। ରେଶମ କୀଟକୁ ନମାରି କିପରି ଆକର୍ଷଣୀୟ ଉତ୍ପାଦ ତିଆରି କରାଯାଉଛି ତା’ର ପୁରା ପ୍ରକ୍ରିୟାକୁ ଏଠାରେ ଲାଇଭ୍ ଡେମନଷ୍ଟ୍ରେସନ କରାଯାଉଛି ।

tosali

ଓଡ଼ିଶାର ଜନଜାତି କଳାକୃତିର ଏକ ସ୍ୱତନ୍ତ୍ରତା ରହିଛି । ତେଣୁ ତୋଷାଳି ମେଳାର ଥିମ୍ ପାଭିଲିୟନରେ ଏହା ସ୍ଥାନ ପାଇଛି । ସେହିପରି ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ପଥର ଖୋଦେଇ ମୂର୍ତ୍ତି, ପଟ୍ଟଚିତ୍ର ଏବଂ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଲୋକଙ୍କୁ ଆକର୍ଷିତ କରୁଛି । ଏସବୁ କିଣିବା ପାଇଁ ମେଳାରେ ଲୋକମାନଙ୍କର ଭିଡ଼ ଜମୁଛି ।

ଚଳିତବର୍ଷ ତୋଷାଳି ମେଳାରେ ଖୋଲାଯାଇଛି ୬୦୦ରୁ ଅଧିକ ଷ୍ଟଲ । ଏଥିରେ ଓଡ଼ିଶାର ୨୦୦ରୁ ଅଧିକ ଶିଳ୍ପୀ ଏବଂ ୧୪୦ରୁ ଅଧିକ ବୁଣାକାର ଭାଗନେଇ ସେମାନଙ୍କ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି ।

ସେହିପରି ଓଡ଼ିଶା ବାହାରୁ ଆସିଛନ୍ତି ୨୫୦ ଜଣ ଶିଳ୍ପୀ ଏବଂ ୫୭ ଜଣ ବୁଣାକାର । ସେମାନେ ତୋଷାଳି ମେଳାରେ ସେମାନଙ୍କ ହାତ ତିଆରି ସାମଗ୍ରୀର ପସରା ଖୋଲିଛନ୍ତି। ବେଙ୍ଗାଳୁରୁ ଓ ବନାରସର ସିଲ୍କ ଶାଢ଼ି, ଆନ୍ଧ୍ରପ୍ରଦେଶର ପୋଚମପାଲି ଶାଢ଼ି, କଶ୍ମୀରର ଉଲ୍ ସାଲ, ଛତିଶଗଡ଼ ବସ୍ତରର ଲୁହା କାମ ଓ ଆସାମର ବାଉଁଶ ତିଆରି ସାମଗ୍ରୀ ଆଦିର ଭଲ ଚାହିଦା ରହିଛି ।

ତୋଷାଳି ମେଳାର ଆଉ ଏକ ଆକର୍ଷଣ ହେଉଛି ଫୁଡ୍ କୋର୍ଟ । ୨୫ଟି ଷ୍ଟଲରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ନିଆରା ଖାଦ୍ୟ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଲୋକମାନେ ଏଠାରେ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଖାଦ୍ୟର ମଜା ନେଉଛନ୍ତି ।

ଡିସେମ୍ବ ୧୫ରୁ ଆରମ୍ଭ ହୋଇଥିବା ‘ତୋଷାଳି’ ମେଳା ୨୬ ତାରିଖ ଯାଏଁ ଚାଲିବ । ସାଧାରଣ ଲୋକଙ୍କ ପାଇଁ ଏହି ମେଳା ପ୍ରତିଦିନ ଅପରାହ୍ନ ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହୁଛି । ସନ୍ଧ୍ୟାରେ ଓଡ଼ିଶା ଏବଂ ବଲିଉଡର ବିଶିଷ୍ଟ କଳାକାରମାନଙ୍କୁ ନେଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୁଗ୍ଧ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.