Below header

କାଳ ସାଜିଲା କରମଣ୍ଡଳ ଏକ୍ସପ୍ରେସ: ଏବେ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍‌

ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ପର୍ଯ୍ୟନ୍ତ ୨୩୩ ଜଣଙ୍କର ମୃତ୍ୟୁ ହେଲାଣି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢିପାରେ ବୋଲି କହିଛନ୍ତି ପ୍ରଦୀପ ଜେନା । ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି ।

ବାଲେଶ୍ୱର (କେନ୍ୟୁଜ): ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ୍‌ ଟ୍ରାଜେଡି । ଭୟଙ୍କର ଓ ଛାତିଥରା ଦୁର୍ଘଟଣା । ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଦୁଇଟି ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍‌ ଧକ୍କାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ପ୍ରାୟ ୯ଶହ । ଆଗକୁ ଅଧିକ ବଢ଼ିପାରେ ମୃତ୍ୟୁସଂଖ୍ୟା । ୩ ଶହ ବି ଛୁଇଁପାରେ । ଏବେ ଦୁର୍ଘଟଣା ସ୍ଥଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରସେନ୍‌ । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଅଗ୍ନିଶନ ବାହିନୀ, ଏନଡିଆରଏଫ୍‌ ଓ ସେନା ନିୟୋଜିତ ହୋଇଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ ବଗିରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଗ୍ୟାସ୍‌ କଟର, ପ୍ଲାଜମା କଟିଂ ମେସିନ୍‌ ଜରିଆରେ ଦୁର୍ଘଟଣାଗ୍ରସ୍ତ ବଗିକୁ କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି । ଦୁର୍ଘଟଣାସ୍ଥଳରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ଡାକ୍ତରୀ ଟିମ୍‌ ପହଞ୍ଚିଛନ୍ତି । ବାଲେଶ୍ୱର, ଭଦ୍ରକର ବିଭିନ୍ନ ହସ୍ପିଟାଲ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ଚିକିତ୍ସିତ ହେଉଛନ୍ତି ।

ଗୁରୁତର ଆହତଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି । କଟକରେ ୩୪ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି ରାଜ୍ୟ ବାହାରର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଘଟଣାସ୍ଥଳକୁ ଯିବେ । ଘଟଣାସ୍ଥଳରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଏକ ପ୍ରଶାସନିକ ଟିମ୍‌ ଉଦ୍ଧାର ଓ ପୁନରୁଦ୍ଧାର କାମର ତଦାରଖ କରୁଛନ୍ତି । ୧୯୮୧ ପରଠୁ ଦେଶରେ ସବୁଠୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.