Below header

କୋଭିଡ ନିୟମ ନ ମାନିବାରୁ ନର୍ସିଂହୋମକୁ ସିଲ କଲା ଝାରସୁଗୁଡା ଜିଲ୍ଲା ପ୍ରଶାସନ

ଝାରସୁଗୁଡା(କେନ୍ୟୁଜ): ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନର ହସ୍ପିଟାଲଗୁଡିକରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ସମସ୍ତ ନର୍ସିଂହୋମ ଏବଂ ଘରୋଇ ମେଡିକାଲକୁ କରୋନା ଗାଇଡଲାଇନ୍ ମାନିବାକୁ କଡା ନିର୍ଦ୍ଦେଶ ରହିଛି । ତେବେ କୋଭିଡ-୧୯ ଅଧିନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଆଜି ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ସହରରେ ଥିବା ତିନୋଟି ନର୍ସିଂ ହୋମକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।

ସୂଚନା ଅନୁଯାୟୀ ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ. ମଲଟିକେୟାର ହୋମ, ଲଖ୍ୟ ଜେୟାରକୁ ସିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ବିଭିନ୍ନ ଘରୋଇ ହସ୍‌ପିଟାଲ ଓ ନର୍ସିଂ ହୋମ୍‌ରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି। କୋଭିଡ-୧୯ ଗାଇଡ ଲାଇନ୍ ସଠିକ ଭାବେ ପାଳନ ହେଉଛି କି ନାହିଁ ସେ ନେଇ ଜୋରସୋର ଯାଞ୍ଚ କରାଯାଉଛି । ଝାରସୁଗୁଡା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ସ୍କ୍ଵାଡର କୋଭିଡ଼ ମାଜିଷ୍ଟ୍ରେଟ ଗୋଲଖ ବିହାରୀ ମଙ୍ଗରାଜ ନେତୃତ୍ୱରେ ଟାଉନ ଥାନାଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

ଝାରସୁଗୁଡା ଜିଲ୍ଲାରେ ଥିବା ଅନେକ ଘରୋଇ ନର୍ସିଂ ହୋମ୍ କୋଭିଡ ପାଇଁ ଥିବା ସରକାରୀ ଗାଇଡ ଲାଇନ୍ ନିୟମ ମାନୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଘରୋଇ ନର୍ସିଂ ହୋମଗୁଡ଼ିକରେ ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ସେହି ସ୍ଥାନକୁ ସଠିକ୍ ଭାବେ ସାନିଟାଇଜ୍ କରାଯାଉଛି କି ନାହିଁ, ରୋଗୀ ଓ ସମ୍ପର୍କୀୟମାନେ ସାମାଜିକ ଦୂରତା ନିୟମ ମାନିବା ସହ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହୋଇଛି । ଏହି ଯାଞ୍ଚରେ ଯେଉଁ ନର୍ସିଂ ହୋମ ନିୟମ ଉଲଂଘନ କରିଛନ୍ତି ତାକୁ ସିଲ କରାଯାଇଛି ଏବଂ ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.