Below header

ରାଜଧାନୀ ଛାତି ଉପରେ ଆଖି ବୁଜିଦେଲା ୪ ବର୍ଷର ନିଷ୍ପାପ ଶିଶୁ କନ୍ୟା

ରାଜଧାନୀ ଛାତି ଉପରେ ଆଖିବୁଜିଦେଲା ନିଷ୍ପାପ ଶିଶୁ କନ୍ୟା । ସ୍ମାର୍ଟ ସିଟିର ଭବିଷ୍ୟତକୁ ଆଜି ରାସ୍ତା ଉପରେ ଦେବାକୁ ପଡିଲା ନିଜ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ । ରାସ୍ତା ଜାମ୍ ଯୋଗୁଁ ଠିକ୍ ସମୟରେ ଡାକ୍ତରଖାନାରେ ପହଁଚି ନପାରିବାରୁ ଉଡିଯାଇଥିଲା ଶିଶୁ କନ୍ୟାର ପ୍ରାଣବାୟୁ । ଘରଠାରୁ ମାତ୍ର କିଛି ଦୂରରେ ଥିଲା ହସ୍ପିଟାଲ୍। ଆମ୍ବୁଲାନ୍ସ ବି ଥିଲା । ହେଲେ ବଞ୍ଚିପାରିଲାନି ୪ ବର୍ଷର ଶିଶୁକନ୍ୟାର ଜୀବନ । ରାସ୍ତା ଜାମ୍ ଯୋଗୁ ଅଧାବାଟରେ ଆମ୍ବୁଲାନ୍ସ ଭିତରେ ହିଁ ଆଖି ବୁଜିଦେଲା କୋମଳମତି ଶିଶୁକନ୍ୟା ।

ସୂଚନାଅନୁଯାୟୀ, ସତ୍ୟନଗର ହାଉସିଂବୋର୍ଡ ଅଞ୍ଚଳର ଜଣେ ଶିଶୁକନ୍ୟାଟି ଖେଳୁ ଖେଳୁ ପାଣି ଟାଙ୍କିରେ ପଡ଼ିଯାଇଥିଲା । କିଛି ସମୟ ପରେ ଏସମ୍ପର୍କରେ ଜାଣିବା କ୍ଷଣି ପରିବାର ଲୋକ ଶିଶୁକନ୍ୟାକୁ ପାଣି ଟାଙ୍କିରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ନିକଟରେ ଥିବା ନୀଳାଚଳ ହସ୍ପିଟାଲକୁ ନେଇଥିଲେ । ହେଲେ ଘରଠାରୁ ମାତ୍ର କେଇ ମିନିଟର ଦୂରରେ ଥିବା ଏହି ହସ୍ପିଟାଲକୁ ଯିବାବେଳେ ଆମ୍ବୁଲାନ୍ସଟି ବିଗ ବଜାର-ମାଳିସାହି ରାସ୍ତା ନିକଟରେ ପ୍ରବଳ ଜାମ୍ କାରଣରୁ ଅଟକି ଯାଇଥିଲା ।

ରାସ୍ତା ଜାମ୍ ଯୋଗୁଁ ଆମ୍ବୁଲାନ୍ସ ଡ୍ରାଇଭର ଜଣଙ୍କ ଗାଡି ବୁଲାଇ ସ୍ବସ୍ତି ଗ୍ରାଣ୍ଡ ରାସ୍ତା ଦେଇ ନେଇଥିଲେ । ବିଭିନ୍ନ ସଂଗଠନର ଧାରଣା ଓ ଶୋଭାଯାତ୍ରା ଯୋଗୁଁ ଜାମ୍ ଭିତରେ ଫସି ଯାଇଥିବା ଆମ୍ବୁଲାନ୍ସ । ବାଧ୍ୟହୋଇ ଶିଶୁକନ୍ୟାଙ୍କ ମା’ ଆମ୍ବୁଲାନ୍ସରୁ ବାହାରି କାନ୍ଦି କାନ୍ଦି ଡାକ୍ତରଙ୍କ ପାଖକୁ ଦୌଡ଼ିଥିଲେ । ପରିବାର ଲୋକ ରାସ୍ତା ଫାଙ୍କା କରିବାକୁ ଲୋକଙ୍କୁ ନେହୁରା ହୋଇଥିଲେ ମଧ୍ଯ କିଛି ଲାଭ ହୋଇନଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା ।

ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଥିଲେ ମଧ୍ୟ ଲଜ୍ଜାର କଥା ଏନେଇ କିଛି ସୂଚନା ନଥିବା କହିଛନ୍ତି ସ୍ଥାନୀୟ ଖାରବେଳନଗର ଥାନା ପୁଲିସଠାରୁ ଆରମ୍ଭ କରି ଡିସିପିଙ୍କ ପର‌୍ୟ୍ୟନ୍ତ । ଏତେ ବଡ଼ ସମ୍ବେଦନଶୀଳ ଘଟଣା ଉପରେ ପୁଲିସର ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.