ଶୁଣିଲାନି କାହା କଥା, ଦୁଷ୍ଟ ହେବାରୁ ୮ ବର୍ଷର କଅଁଳ ଶିଶୁକୁ ଚେଙ୍କଦେଇ ଚାଲିଲା ମା’

ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଉଦ୍ଧାର ପାଇବାକୁ ଉପାୟ ନଥିଲା। ଶିଶୁପୁତ୍ରର ଜେଜେ ମା'ର ବିରୋଧ ସତ୍ତ୍ବେ ନିର୍ଯାତନା କମ୍ ହୋଇନଥିଲା । ଯାଜପୁର ରସୁଲପୁର ବ୍ଲକ ଲଙ୍କାବାଲିସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଯାଜପୁର(କେନ୍ୟୁଜ୍): ଇଏ କିଭଳିକା ମାଆ, ପୁଅ ଦୁଷ୍ଟ ହେବାରୁ ଚେଙ୍କ ଦେଲା । ଥରେ କି ଦୁଇ ଥର ନୁହେଁ, ୮ ବର୍ଷର ପିଲାକୁ ବାରମ୍ବାର  ଚେଙ୍କ ଦେଇଛି ମାଆ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଉଦ୍ଧାର ପାଇବାକୁ ଉପାୟ ନଥିଲା। ଶିଶୁପୁତ୍ରର ଜେଜେ ମା’ର ବିରୋଧ ସତ୍ତ୍ବେ ନିର୍ଯାତନା କମ୍ ହୋଇନଥିଲା । ଯାଜପୁର ରସୁଲପୁର ବ୍ଲକ ଲଙ୍କାବାଲିସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ଅଚ୍ୟୁତ ପାଢ଼ୀ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ଘରେ ପତ୍ନୀ, ବୃଦ୍ଧା ମାଆ ଓ ଦୁଇ ଶିଶୁ ପୁତ୍ର ରୁହନ୍ତି।

୮ବର୍ଷର ବଡ଼ ପୁଅକୁ ଅନେକ ସମୟରେ ମା’ ମୋନାଲିସା ଚେଙ୍କ ଦେଉଥିଲା। ଶିଶୁ ପୁତ୍ର ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ଜେଜେମାଙ୍କୁ ସବୁ ଜଣାଇଥିଲା । ଜେଜେମା ଏହାକୁ ବିରୋଧ କରିବାରୁ ମୋନାଲିସା ଶାଶୂଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପଡୋଶୀ ମାନେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଏକ ଟିମ୍ ଘରେ ପହଞ୍ଚି ଶିଶୁ ପୁତ୍ରର ସ୍ୱାସ୍ଥ୍ୟବସ୍ଥା ପରଖିବା ସହ ବୟାନ ରେକର୍ଡ କରିଥିଲେ।