ନବୀନଙ୍କ ଡବଲ୍ ଇଞ୍ଜିନ୍: ଫୋକସରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ

ରାଜ୍ୟରେ ଯେତେ ବଡ଼ ଯୋଜନା ଆରମ୍ଭ ହୋଇଛି, ପ୍ରାୟତଃ ମାଲକାନଗିରିରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୩ରେ ଟଙ୍କିକିଆ ଚାଉଳ ହେଉ କି ୨୦୨୧ରେ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ହେଲ୍ ଥ କାର୍ଡ, ଏ ସବୁ ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ ହୋଇଥିଲା।

କେନ୍ୟୁଜ୍(ବ୍ୟୁରୋ):ଆଗକୁ ୨୦୨୪ ନିର୍ବାଚନ। ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ। ଏହା ଭିତରେ ପ୍ରଥମେ ସହରାଞ୍ଚଳରେ ଜାଗା ମିଶନ ଆରମ୍ଭ କଲେ। ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦେଲେ। ଏହାର ଦିନ କେଇଟା ପରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଡିପିଆରକୁ ଅନୁମୋଦନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ପୁଣି ସହରାଞ୍ଚଳରେ ଡ୍ରିଙ୍କ ଫର୍ମ ଟ୍ୟାପ ଯୋଜନା ଆଗକୁ ବଢୁଛି। ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡାକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏସବୁ ସହରଗୁଡ଼ିକର ପ୍ରାୟ ୩୦ ହଜାର ପରିବାରର ୧.୮୦ ଲକ୍ଷ ଜଣ ଏହା ଦ୍ବାରା ଉପକୃତ ହେବେ। ..ସହରାଞ୍ଚଳବାସୀଙ୍କ ସୁବିଧା ପାଇଁ ସରକାର ତତ୍ପର। ସହରାଞ୍ଚଳରେ ଭୋଟର ସଂଖ୍ୟା ୪୦ରୁ ୪୫ ଲକ୍ଷ। ପୌର ନିର୍ବାଚନରେ ୭୫ ପ୍ରତିଶତ ଆସନ ହାତେଇଥିଲା ବିଜେଡି। ଆଗକୁ ୨୦୨୪ରେ ଏହି ହାର ବଢାଇବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ବିଜେଡି।

ଗ୍ରାମାଞ୍ଚଳରେ ବିଜେଡି ସ୍ଥିତି ମଜଭୁତ ଅଛି। ପଞ୍ଚାୟତ ନିର୍ବାଚନରେ ତାହା ବାରି ହୋଇ ପଡିଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୯୦% ଆସନ ମିଲିଥିଲା। ବିଜେଡି ତାର ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି। ଗ୍ରାମାଞ୍ଚଳ ଗମନାଗମନ ପାଇଁ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ଯୋଜନା। ଆସନ୍ତା ୧୨ରୁ ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଆରମ୍ଭ ହେବ ପରିବହନର ସ୍ବର୍ଣ୍ଣିମ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଏହାର ଶୁଭାରମ୍ଭ କରିବେ। ଏଥିପାଇଁ ରାଜ୍ୟ ସରକାର ୩୧୭୮ କୋଟି ଟଙ୍କା ଖର୍ଚ୍ଚ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୬ଟି ବସ ମାଲକାନଗିରିରେ ପହଞ୍ଚି ସାରିଛି। ଏହି ଯୋଜନା ଅଧିନରେ ହଜାରେରୁ ଅଧିକ ବସ ଚାଲିବ। ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ସଦର ମହକୁମା ଏବଂ ପରେ ରାଜଧାନୀକୁ ଲକ୍ଷ୍ମୀ ବସ ଚଳାଚଳ କରିବ। ଏହା ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଚି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ। ଏଥିପାଇଁ ୪ ହଜାର କୋଟିଟଙ୍କା ଖର୍ଚ୍ଚ ହେବ। ପ୍ରତ୍ୟେକ ପଞ୍ଚାୟତକୁ ଏହି ଯୋଜନା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ।

ରାଜ୍ୟରେ ଯେତେ ବଡ଼ ଯୋଜନା ଆରମ୍ଭ ହୋଇଛି, ପ୍ରାୟତଃ ମାଲକାନଗିରିରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୩ରେ ଟଙ୍କିକିଆ ଚାଉଳ ହେଉ କି ୨୦୨୧ରେ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାରେ ହେଲ୍ ଥ କାର୍ଡ, ଏ ସବୁ ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ ହୋଇଥିଲା। ଆଉ ଏବେ ଲକ୍ଷ୍ମୀ ବସ ଯୋଜନା ମଧ୍ୟ ସେହି ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.