ଏଥର ଅନୁଭବ ଦେଲେ ବର୍ଷାଙ୍କ ନାଁରେ ଏତଲା, କଣ ଅଭିଯୋଗ କରିଛନ୍ତି ଜାଣନ୍ତୁ

କଟକ (କେନ୍ୟୁଜ୍‌) : ପୁଣି ସେଲିବ୍ରିଟି ଫାଇଟ୍‌ । ପୁଣି ଘର କଳି ଆସିଲା ପଦାକୁ । କଟକ ପୁରୀଘାଟ ଥାନାରେ ବର୍ଷାଙ୍କ ନାଁରେ ଅନୁଭଵ ଦେଲେ ଏତଲା। ମୋ ଘରେ ରହି ବର୍ଷା ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ଅନୁଭବ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ନିଜ ଅଭିଯୋଗରେ ଅନୁଭବ କିଛି ସିସିଟିଭି ଫୁଟେଜ୍‌କୁ ମଧ୍ୟ ନଜର ଦେବାକୁ କହିଛନ୍ତି । ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଦ୍ଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି ।

ସେ ଅଭିଯୋଗରେ କହିଛନ୍ତି ଯେ ଲଗାତାର କିଛି ଦିନ ହେଲା ତାଙ୍କ ଘର ପାଖରେ କିଛି ଅଜଣା ଲୋକଙ୍କୁ ବୁଲୁଥିବା ଦେଖିବାକୁ ପାଉଛନ୍ତି । ଯେଉଁମାନେ ବିନା ଅନୁମତିରେ ହେଲମେଟ ପିନ୍ଧି ତାଙ୍କ ଘର ଆଗରେ ବୁଲୁଛନ୍ତି । ଯାହାଦ୍ୱାରା ତାଙ୍କ ପରିବାର ପ୍ରତି ବିପଦ ଥିବା ସେ ଦର୍ଶାଇଛନ୍ତି ।

ଅନ୍ୟପଟେ ସିସିଟିଭିରୁ ଦେଖିଥିବା ଫୁଟେଜକୁ ଆଧାର କରି ଅନୁଭବ ଆଶଙ୍କା ପ୍ରକାଶ କରି କହିଛନ୍ତି, ତାଙ୍କ ଘରର ଅନେକ ନକଲି ଚାବି ପ୍ରସ୍ତୁତ ହୋଇଛି । ଯାହା ଫଳରେ ତାଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇପାରେ । ତେବେ ବର୍ଷା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କୌଣସି ଷଡ଼ଯନ୍ତ୍ର କରୁ ନାହାନ୍ତି ବୋଲି କହିଛନ୍ତି ।

ଏହି ଦୁଇ ଅନ୍‌ସ୍କ୍ରିନ୍‌ ଓ ଅଫ୍‌ ସ୍କ୍ରିନ୍‌ କପୁଲ୍‌ଙ୍କ ମଧ୍ୟରେ ଅନେକ ଦିନରୁ ତିକ୍ତତା ଆରମ୍ଭ ହୋଇ ସାରିଛି । ସେମାନଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି । ତେବେ ବର୍ଷା ବର୍ତ୍ତମାନ ମଧ୍ୟ ଅନୁଭବଙ୍କ ଘରେ ରହୁଛନ୍ତି ।

 

Leave A Reply

Your email address will not be published.