ଶ୍ରୀମନ୍ଦିର ଭିତର କାଠରେ ରକ୍ତ! ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ, ପୁଣି ହେଲା ବଡ଼ସିଂହାର ବେଶ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଭିତର କାଠରେ ରକ୍ତ! ଯାହାଫଳରେ ଶୁକ୍ରବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଛି।   ଯେଉଁଥିପାଇଁ ମହାପ୍ରଭୁଙ୍କୁ ପୁଣି ଥରେ ବଡ଼ସିଂହାର ବେଶ ହେବାକୁ ପଡ଼ିଛି। ଏଥିପାଇଁ ନୀତିକାନ୍ତି ବିଳମ୍ବ ହୋଇଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ୧୦ଟା ୨୫ରେ ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ବଡ଼ସିଂହାର ବେଶ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଭିତର କାଠରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡ଼ିବା ପରେ ବଡ଼ ମହାସ୍ନାନ କରାଯାଇ ପୁଣିଥରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯାଇଥିଲା।  ଏହାପରେ ସମସ୍ତ ନୀତିକାନ୍ତି ଶେଷ ହୋଇ ରାତ୍ର ପହୁଡ଼ ପଡିଥିଲା। ଏହି କାରଣରୁ ଅଧାରୁ ଭକ୍ତଙ୍କ ଦର୍ଶନ ବି ବନ୍ଦ ରଖାଯାଇଥିଲା।

ଅନ୍ୟପଟେ ଭିତର କାଠରେ ରକ୍ତକୁ ନେଇ ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିଛନ୍ତି, ଚନ୍ଦନଲାଗି ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଭିତର କାଠ ପର୍ଯ୍ୟନ୍ତ ଛଡ଼ାଯାଇଥିଲା। ପରେ ବାହାର କାଠରୁ ଭକ୍ତ ଦର୍ଶନ କରିଥିଲେ। ଏହା ଭିତରେ ବଡ଼ସିଂହାର ବେଶ ହୋଇ ଭୋଗ ପ୍ରସ୍ତୁତି ଚାଲିଥିଲା। ଏତିକି ବେଳେ ଭିତର କାଠ ପ୍ରବେଶ ଦ୍ୱାରରେ ରକ୍ତ ଦେଖିବାକୁ ମିଳିଥିଲା। ସେତେବେଳକୁ ପାଖାପାଖି ଅଧଘଣ୍ଟାରୁ ଅଧିକ ସମୟ ହୋଇଯାଇଥିଲା। ଏତେ ସମୟ ଭିତରେ ଜେଟିପି, ଚର୍ଚ୍ଚା, ସେବାୟତ ରକ୍ତ ପଡିଥିବା ଜାଣିପାରିଲେନି। ଯାହାଦ୍ବାରା ବଡ଼ସିଂହାର ବେଶ ପାଇଁ ଫୁଲ ଅଭାବ ଭଳି ପରିସ୍ଥିତି ଉପୁଜିଛି ଭକ୍ତମାନେ ଅଭିଯୋଗ କରିଛନ୍ତି।