ଭଗବାନଙ୍କ ଆଶୀର୍ବାଦ ନୁହେଁ ତ ଆଉ କଣ ? ଶିଶୁ କନ୍ୟାକୁ ଜନ୍ମ ଦେଲେ ୭ ମାସ ଧରି କୋମାରେ ଥିବା ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ବିରଳ ଡେଲିଭରି। ୭ ମାସ ଧରି କୋମାରେ ଥିବା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁ କନ୍ୟାଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।ଏହା ଚିକିତ୍ସା କ୍ଷେତ୍ରରେ ଏକ ଚମତ୍କାର ବୋଲି କୁହାଯାଉଛି । ଏକ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ସର୍ଜରୀ ହୋଇଥିଲା । ସେହି ଦିନ ଠାରୁ ମହିଳା ଜଣକ ଚେତା ହରାଇ ହସ୍ପିଟାଲ ବେଡ଼ରେ ପଡ଼ି ରହିଛନ୍ତି।

ଡାକ୍ତରଙ୍କ କହିବାନୁସାରେ ବୁଲନ୍ଦନଗରର ଜନୈକ ମହିଳା ମାର୍ଚ୍ଚ ୩୧ ତାରିଖରେ ସ୍ୱାମୀଙ୍କ ସହ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଭାଗ୍ୟକୁ ସ୍ୱାମୀ ସିନା ବଞ୍ଚିଗଲେ । ହେଲେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଲା । ବାସ୍ ସେହି ସମୟରୁ ହିଁ ସେ ଅଚେତ୍ ହୋଇଗଲେ । ସେତେବେଳକୁ ମହିଳା ଜଣକ ୪୦ ଦିନର ଗର୍ଭବତୀ ଥିଲେ । ଏପରି ସ୍ଥିତିରେ ଗର୍ଭପାତ ଆଇନ ସମ୍ମତ ହୋଇଥିଲେ ବି ଏଥିପାଇଁ ତାଙ୍କ ସ୍ୱାମୀ ରାଜି ହୋଇନଥିଲେ । ଅନ୍ତତଃ ତାଙ୍କ ସ୍ତ୍ରୀଙ୍କ ସନ୍ତାନକୁ ଏ ଦୁନିଆଁକୁ ଆଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର ଦୀପକ ଗୁପ୍ତା କହିଛନ୍ତି,” ମହିଳା ଜଣକ ଆଖି ଖୋଲୁଥିବା ବେଳେ ସେ କାହାକୁ ଚିହ୍ନିପାରୁନାହାନ୍ତି କି କିଛି ବୁଝି ମଧ୍ୟ ପାରୁନାହାନ୍ତି । ଏହାପରେ ସେ ପୁଣି ଆଖି ବୁଜି ଶୋଇ ପଡୁଛନ୍ତି । ଯଦି ମହିଳା ଜଣକ ହେଲମେଟ ପିନ୍ଧିଥାନ୍ତେ ତେବେ ଆଜି ସେ ଏହି ହସ୍ପିଟାଲରେ ବେଡ଼୍‌ରେ ପଡ଼ିନଥାନ୍ତେ । ହୁଏତ ସେ ଏଯାଏଁ ସୁସ୍ଥ ମଧ୍ୟ ହୋଇପାରିଥାନ୍ତେ ।” ମହିଳାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଛନ୍ତି । ମାତ୍ର ଏହି ଦୁର୍ଘଟଣା ପରେ ସେ ନିଜ ପତ୍ନୀର ଯତ୍ନ ନେବା ଲାଗି ଚାକିରି ଛାଡ଼ି ଦେଇ ପତ୍ନୀଙ୍କ ସେବା କରୁଛନ୍ତି ।

ଏବେ ତାଙ୍କ ପାଖରେ ଝିଅର ଯତ୍ନ ନେବାକୁ କିଛି ସମ୍ବଳ ନଥିଲେ ବି ସେ ସାହାସ ହାରି ନାହାଁନ୍ତି ବୋଲି କହିଛନ୍ତି । ମୃତ ପ୍ରାୟ ପଡିଥିବା ସ୍ତ୍ରୀ ଏକ ସୁସ୍ଥ ସବଳ ଶିଶୁ କନ୍ୟାକୁ ଜନ୍ମ ଦେବା ତାଙ୍କ ପାଇଁ କିଛି କମ୍ ଆଶ୍ଚର୍ଯ୍ୟ କଥା ନଥିଲା । କେବଳ ତାଙ୍କ ପାଇଁ ନୁହେଁ ପୁରା ଡାକ୍ତର ଗ୍ରୁପ୍ ଏହା ଏକ ବଡ ଚ୍ୟାଲେଞ୍ଜ ଥିଲା । ଏପରିକି ସେ ଶିଶୁକୁ ମା’ କ୍ଷୀର ଦେବାରେ ସକ୍ଷମ ନୁହଁନ୍ତି । ଶିଶୁକୁ ବର୍ତ୍ତମାନ ଗାଈ କ୍ଷୀର ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.