Below header

ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ: କିଏ ଲୋକସଭା ତ ଆଉ କିଏ ବିଧାନସଭା ପାଇଁ ଲଢୁଛନ୍ତି

ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ । ୨୦୨୪ ନିର୍ବାଚନରେ ମଙ୍ଗ ଧରିଛନ୍ତି ୧୦ ପୁରୁଖା ନେତାଙ୍କ ଝିଅ । କହିବାକୁ ଗଲେ ବାପାଙ୍କ ବାଟରେ ଝିଅ । କିଏ ଲୋକସଭା ତ ଆଉ କିଏ ବିଧାନସଭା ନିର୍ବାଚନ ଲଢୁଛନ୍ତି ।

କେନ୍ୟୁଜ : ନିର୍ବାଚନ ମଇଦାନରେ ଝିଅ ଉତ୍ତରାଧିକାରୀ । ୨୦୨୪ ନିର୍ବାଚନରେ ମଙ୍ଗ ଧରିଛନ୍ତି ୧୦ ପୁରୁଖା ନେତାଙ୍କ ଝିଅ । କହିବାକୁ ଗଲେ ବାପାଙ୍କ ବାଟରେ ଝିଅ । କିଏ ଲୋକସଭା ତ ଆଉ କିଏ ବିଧାନସଭା ନିର୍ବାଚନ ଲଢୁଛନ୍ତି । ନିଜ ବାପାଙ୍କ ଲୋକପ୍ରିୟତା ଆଧାରରେ ଝିଅମାନଙ୍କୁ ପ୍ରାର୍ଥୀ କରିଛନ୍ତି ଦଳ । ଏଥର ବିଜେଡି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସର୍ବାଧିକ ୫ଜଣଙ୍କୁ ଟିକେଟ ଦେଇଛି । ପଦ୍ମପୁରରୁ ୫ ଥର ବିଧାୟକ ହୋଇଥିବା ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା ଗତଥର ଉପନିର୍ବାଚନ ଲଢ଼ି ଜିତିଥିଲେ । ଏଥର ତାଙ୍କୁ ପଦ୍ମପୁରରୁ ପୁଣି ଟିକେଟ ଦେଇଛି ବିଜେଡି ।

ସେହିପରି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳି ଦାସ ଝାରସୁଗୁଡ଼ା ଉପନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଏଥର ସେ ବିଜେଡି ଟିକେଟରେ ଝାରସୁଗୁଡ଼ାରୁ ଲଢୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ତାଙ୍କ ମାଆ ନନ୍ଦିନୀ ଦେବୀ ଏଠାରୁ ବିଧାୟିକା ହୋଇଥିଲେ । ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ ୨୦୧୯ ନିର୍ବାଚନରେ କବିସୂର୍ଯ୍ୟନଗରରୁ ବିଧାୟିକା ହୋଇଥିଲେ। ଏଥର ମଧ୍ୟ ସେ ବିଜେଡିରୁ କବିସୂର୍ଯ୍ୟନଗର ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଆସିକା ଲୋକସଭା ଆସନରୁ ବିଜେଡି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି ରଞ୍ଜିତା ସାହୁ । ରଞ୍ଜିତାଙ୍କ ବାପା ହରପ୍ରସାଦ ସାହୁ ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତା । ଆସିକା ଲୋକସଭା ଆସନରେ ଆଉ ଜଣେ ଝିଅ ନିଜ ଭାଗ୍ୟ ପରୀକ୍ଷା କରିବେ । ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶିନୀ ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଗତଥର ମଧ୍ୟ ସେ ବିଜେପିରୁ ଆସିକା ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ସଫଳତା ପାଇନଥିଲେ । ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ପ୍ରଥମ ଥର ପାଇଁ ବିଜେପି ଟିକେଟରେ ଲଢୁଛନ୍ତି । ଗତ ଥର ଉପାସନାଙ୍କ ଦାଦା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏଠାରୁ ବିଧାୟକ ହୋଇଥିଲେ ।

କଂଗ୍ରେସ ମଧ୍ୟ କିଛି ରାଜନେତାଙ୍କ ଝିଅକୁ ଟିକେଟ ଦେଇଛି । ଡାବୁଗାଁରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଲିପିକା ମାଝୀ । ତାଙ୍କ ବାପା ଭୁଜବଳ ମାଝୀ ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟରେ ମଧ୍ୟ ଲଢୁଛନ୍ତି । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ମଧ୍ୟ ୨୪ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରିବେ । କଂଗ୍ରେସ ତାଙ୍କୁ ଆଳିରୁ ପ୍ରାର୍ଥୀ କରିଥିବା ବେଳେ ସେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ କଂଗ୍ରେସ ଟିକେଟରେ ଝାରୁସୁଗୁଡ଼ା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତଥର ସେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଲଢ଼ିଥିଲେ ମଧ୍ୟ ସଫଳତା ପାଇନଥିଲେ ।

ବାରବାଟୀ-କଟକ ଆସନରେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରୋଦସ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଦାଲତୀ ପ୍ରତିବନ୍ଧକ ପାଇଁ ମୋକିମ ଏଥର ନିର୍ବାଚନ ଲଢୁନଥିବା ବେଳେ ସୋଫିଆଙ୍କୁ କଂଗ୍ରେସରୁ ପ୍ରାର୍ଥୀ କରିବା ପାଇଁ ଦାବି ଜୋର ହେଉଛି । ଏଥିପାଇଁ ସୋଫିଆ ମଧ୍ୟ ଆଗ୍ରହୀ ଅଛନ୍ତି । କେବଳ ଝିଅମାନେ ନୁହେଁ ୨୦୨୪ ନିର୍ବାଚନରେ କିଛି ପୁଅ ମଧ୍ୟ ନିଜ ବାପାଙ୍କ ସ୍ଥାନରେ ମଇଦାନକୁ ଓହ୍ଲାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.