Below header

ଡରାଇଲାଣି ହରଡ ଡାଲି, ଓଡିଶାରେ କିଲୋ ପିଛା ଦର ଶୁଣିଲେ ହୋଇଯିବେ ଚକିତ!

ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ତେବେ ଏହିସବୁ ଡାଲି ଭିତରେ ସବୁଠୁ ପସନ୍ଦିଆ ଓ ନିତିଦିନିଆ ଖନ୍ଦା ଶାଳରେ ଦେଖିବାକୁ ମିଳୁଥିବା ଡାଲି ହେଉଛି ହରଡ । ଯାହା ଏବେ ଧିରେ ଧିରେ ମହଙ୍ଗା ହେବାକୁ ଲାଗିଲାଣି ।

କେନ୍ୟୁଜ୍: ସବୁ ଭାରତୀୟ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ଭାତ ଓ ଡାଲି । କାର୍ଯ୍ୟରତ ଲୋକ ହେଉ କିମ୍ବା ଯେକୌଣସି ବ୍ୟକ୍ତିଙ୍କୁ ଯଦି ଶୀଘ୍ର ଖାଦ୍ୟ ରାନ୍ଧିବାର ଥାଏ ତେବେ ଭାତ ଓ ଡାଲି ତିଆରି କରିଦିଅନ୍ତି । ବହୁତ ଲୋକ ଅଛନ୍ତି ଯେଉଁମାନେ କାମରେ ବ୍ୟସ୍ତତା ଯୋଗୁଁ ସକାଳେ ବା ଅପରାହ୍ନରେ ନୁହେଁ ବରଂ ରାତିରେ ବି ଭାତ, ଡାଲି ସହ କଣ ଟିକେ ଲଗେଇ ଖାଇ ଦିଅନ୍ତି ।

ତେବେ ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ । ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ତେବେ ଏହିସବୁ ଡାଲି ଭିତରେ ସବୁଠୁ ପସନ୍ଦିଆ ଓ ନିତିଦିନିଆ ଖନ୍ଦା ଶାଳରେ ଦେଖିବାକୁ ମିଳୁଥିବା ଡାଲି ହେଉଛି ହରଡ । ଠିକ୍ କହିଲି ନା । ପ୍ରତି ଘରେ ଘରେ ଗମର ଭାତ ସହିତ ଛୁଙ୍କ ଦିଆ ହରଡ ଡାଲିଟା ନିହାତୀ ହୋଇଥାଏ । ତେବେ ଆପଣଙ୍କ ନଜର ଅଛି ନା ନାହିଁ କି ଧିରେ ଧିରେ ମହଙ୍ଗା ହେବାକୁ ଲାଗିଲାଣି ଏଇ ହରଡ ଡାଲି ।

ହଁ ଆଜ୍ଞା ଡରାଇଲାଣି ହରଡ ଡାଲି । ଫେବୃଆରୀ ମାସରେ ହରଡ଼ ଡାଲି କିଲୋ ପିଛା ୧୩୦ ଟଙ୍କା ରହିଥିବା ବେଳେ, ବର୍ତ୍ତମାନ ଏହାର ଦର ଆସି ପହଁଚିଛି ୧୬୫ଟଙ୍କାରେ । କହିବାକୁ ଗଲେ ମାତ୍ର ୨ ମାସ ମଧ୍ୟରେ କେଜି ପିଛା ୩୫ ଟଙ୍କା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

ଯାହାଫଳରେ ଏବେ ନିତିଦିନିଆ ଖାଦ୍ୟରୁ ଉଭାନ୍ ହେବାକୁ ବସିଲାଣି ହରଡ । ଯାହାଫଳରେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଲେଣି ଖାଉଟି । ସତ କହିବାକୁ ଗଲେ ଯେତେବି ଡାଲି ଅଛି ସବୁ ଡାଲି ଭିତରୁ ଅଧିକ ଚାହିଦା ଥିବା ଡାଲି ହେଉଛି ହରଡ । ତେବେ ଏହି ହରଡ ଡାଲିର ଦର ଏବେ ଆକାଶ ଛୁଆଁ । ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ହରଡ ଦର । ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରିବାକୁ ଲାଗିଲେଣି ଗ୍ରାହକ।

ତେବେ ହରଡ଼ ଡାଲିର କଳାବଜାରୀ ହେଉଥିବାରୁ ଏପରି ବୃଦ୍ଧି ଦେଖିବାକୁ ମିଳୁଥିବା କହିଛନ୍ତି ବ୍ୟବସାୟୀ ସଙ୍ଘ। ମହାରାଷ୍ଟ୍ର ଓ ଛତିଶଗଡ଼ରେ ଚଳିତ ବର୍ଷ ହରଡ଼ ଡାଲି ଭଲ ଉତ୍ପାଦର ହୋଇଥିଲେ ବି ଡାଲି ଦରରେ ଏପରି ବେଲଗାମ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, ମାଲଗୋଦାମରେ ୨ ପ୍ରକାରର ଡାଲି ବିକ୍ରି ହୋଇଥାଏ । ଯାହାକି ଡାଲିର ମାନ ଅନୁସାରେ ବିକ୍ରି କରାଯାଉଛି । ଗୋଟାଏ ଡାଲିକୁ କେଜି ପିଛା ୧୫୨ ଟଙ୍କା ଓ ଆଉ ଏକ ରକମର ଡାଲି କେଜି ପିଛା ୧୬୫ ଟଙ୍କା ରହିଛି ।

ତେବେ ପୂର୍ବରୁ ହରଡ଼ ଓ ବୁଟ ଡାଲି ଉତ୍ତରପ୍ରଦେଶ, କାନପୁର ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ବେଳେ ଏବେ ଏହା ଛତିଶଗଡ଼ ଓ ମହାରାଷ୍ଟ୍ରର ନାଗପୁରରୁ ଆମଦାନୀ କରାଯାଉଛି । ଏବେ ପ୍ରତିଦିନ ମାଲଗୋଦାମକୁ ପାଖାପାଖି ୧୫୦ ଟନ୍ ହରଡ଼ ଡାଲି ଆମଦାନୀ କରୁଛନ୍ତି ବ୍ୟବସାୟୀ । ଓଡିଶାରେ ହରଡ଼ ଡାଲିର ଚାହିଦା ଅଧିକ ଥିବା କାରଣରୁ ପ୍ରତିଦିନ ପାଖାପାଖି ୯୦ ଟନ୍ ଡାଲି ବିଭିନ୍ନ ଜିଲ୍ଲାକୁ କାରବାର କରାଯାଉଛି । ତେବେ ଡାଲି ଦରରେ ଏଭଳି ଅହେତୁକ ବୃଦ୍ଧି ଏବେ ଭାତ ଥାଳିରୁ ଡାଲିକୁ ହଜାଇ ଦେବାକୁ ବସିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.