ବନ୍ୟା ଯୋଗୁ ନଷ୍ଟ ହେଲା ଦୁବାଇର ସୌନ୍ଦର୍ଯ୍ୟ, NASA ସେୟାର କଲା ପୂର୍ବ ଏବଂ ପରର ସାଟେଲାଇଟ୍‌ ଫଟୋ

ଗତ ସପ୍ତାହରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହୋଇଥିବା ବର୍ଷା ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏଠାରେ ବର୍ଷା ଏବଂ ଏହା ପରର ବନ୍ୟା ବ୍ୟାପକ ବିପର୍ଯ୍ୟୟ ଘଟାଇଥିଲା ।

ଗତ ସପ୍ତାହରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହୋଇଥିବା ବର୍ଷା ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏଠାରେ ବର୍ଷା ଏବଂ ଏହା ପରର ବନ୍ୟା ବ୍ୟାପକ ବିପର୍ଯ୍ୟୟ ଘଟାଇଥିଲା । ପ୍ରବଳ ମାତ୍ରାରେ ବର୍ଷା ଯୋଗୁ ଦୁବାଇ ସହର ଜଳମଗ୍ନ ହୋଇଯାଇଥିଲା । ବର୍ତ୍ତମାନ ଆମେରିକୀୟ ସ୍ପେସ୍‌ ଏଜେନ୍ସି ‘ନାସା’ ବନ୍ୟା ପୂର୍ବ ଏବଂ ପରର ସାଟେଲାଇଟ୍‌ ଫଟୋ ଜାରି କରିଛି । ଏହି ଫଟୋରେ ଦୁବାଇରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ।

ସହରରେ କେବଳ ଗୋଟିଏ ଦିନରେ ହିଁ ଦେଢ଼ ବର୍ଷ ବରାବରର ବର୍ଷା ହୋଇଥିଲା । ଏହି ବର୍ଷା ସହରକୁ ଏକଦମ୍‌ ଠପ୍‌ କରି ଦେଇଥିଲା । ସମଗ୍ର ପୂର୍ବାଞ୍ଚଳରେ ହଠାତ୍‌ ବନ୍ୟା ପାଣି ମାଡ଼ି ଆସିବାରୁ ପରିବହନ ବାଧାପ୍ରାପ୍ତ ହୋଇଥିଲା ଏବଂ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଯାଇଥିଲା । ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ଜମିରହିଥିଲା ।

ଏପ୍ରିଲ ୧୯ରେ ନାସାର ଲ୍ୟାଣ୍ଡସାଟ୍‌ ୯ ସାଟେଲାଇଟ୍‌ ଦ୍ୱାରା ଏହି ଫଟୋଗୁଡ଼ିକ ଉତ୍ତୋଳନ କରାଯାଇଥିଲା । ଏଥିରେ ସହରରେ ବନ୍ୟା ପାଣି ପଶି ଜଳମଗ୍ନ ହୋଇଥିବା ସ୍ଥାନଗୁଡ଼ିକ ସ୍ପଷ୍ଟ ଭାବରେ ନଜର ଆସୁଛି । ସାଟେଲାଇଟ୍‌ ଫଟୋରେ ଗାଢ଼ ନୀଳ ରଙ୍ଗ ପାଣିର ଉପସ୍ଥିତିକୁ ଦର୍ଶାଉଛନ୍ତି । ବନ୍ୟା ପାଣିକୁ ଦର୍ଶାଇବା ପାଇଁ ଏହାକୁ ହାଇଲାଇଟ୍‌ କରାଯାଇଛି ।

ଏହି ଫଟୋରେ ଦୁବାଇରୁ ୩୫ କିମି (୨୨ ମାଇଲ୍‌) ଦୂର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଜାବେଲ ଅଲି ସହରରେ ମଧ୍ୟ ବନ୍ୟା ସ୍ଥିତିକୁ ଦେଖାଯାଇଛି । ମହାକାଶରୁ ନିଆଯାଇଥିବା ଆଉ ଏକ ଫଟୋରେ ୟୁଏଇ ରାଜଧାନୀ ଆବୁଧାବିରେ ବନ୍ୟା ପାଣି ପଶିଥିବା ଅଞ୍ଚଳକୁ ଦର୍ଶାଯାଇଛି, ଯେଉଁଥିରେ ଶେଖ୍‌ ଜାୟଦ ରୋଡ୍‌ ମଧ୍ୟ ସାମିଲ ରହିଛି । ଦୁବାଇ ଓ ଆବୁଧାବି ମଧ୍ୟରେ ଏହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ସଡ଼କ । ଖଲିଫା ସିଟି ଓ ଜାୟଦ ସିଟି ଭଳି ଆବାସୀୟ ଅଞ୍ଚଳରେ ବି ଲୋକମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଏଠାରେ ପଶିଥିବା ବନ୍ୟା ପାଣିକୁ ଚିତ୍ର ମାଧ୍ୟମରେ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.