Below header

ମିଛ ପରିଚୟ ଦେଇ ବିବାହ କରିଥିଲେ ଯୁବକ, ଏବେ ବାନ୍ଧିଲା ପୋଲିସ

ଭୁବନେଶ୍ବର ଧଉଳି ଥାନାରୁ ସାମ୍ନାକୁ ଆସିଛି ଏକ ଠକେଇ ମାମଲା । ବିବାହ ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ନିଜକୁ ଜଣେ ଚଳଚିତ୍ର ପ୍ରଯୋଜକ ଭାବେ ପରିଚୟ ଦେଇଥିବା ବେଳେ ତାଙ୍କର ଭୁବନେଶ୍ବର ସହରରେ ଟେଣ୍ଟ ହାଉସ ବ୍ୟବସାୟ ଥିବାର ଜଣାଇଥିଲେ ।

ଭୁବନେଶ୍ବର ଧଉଳି ଥାନାରୁ ସାମ୍ନାକୁ ଆସିଛି ଏକ ଠକେଇ ମାମଲା । ଏହି ମାମଲାରେ ଜଣେ ବ୍ୟକ୍ତି ମିଛ କହି ବିବହା କରିଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ ଅଭିଯୋଗକାରିଣୀ ଜଣକ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗତ ତା.୧୮.୦୬.୨୦୨୨ ରେ ହିନ୍ଦୁ ରୀତିନୀତି ଅନୁଯାଇ ପାରିବାରିକ ସମ୍ମତି କ୍ରମେ ବିବାହ କରିଥିଲେ । ବିବାହ ସମୟରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ନିଜକୁ ଜଣେ ଚଳଚିତ୍ର ପ୍ରଯୋଜକ ଭାବେ ପରିଚୟ ଦେଇଥିବା ବେଳେ ତାଙ୍କର ଭୁବନେଶ୍ବର ସହରରେ ଟେଣ୍ଟ ହାଉସ ବ୍ୟବସାୟ ଥିବାର ଜଣାଇଥିଲେ ।

ବିବାହ ପରେ ଅଭିଯୁକ୍ତଙ୍କର ସେପରି କିଛି ଆୟର ପନ୍ଥା ନଥିବା ଅଭିଯୋଗକାରିଣୀ ଜାଣିବାକୁ ପାଇଥିଲେ । ବିବାହ ସମୟରେ ଦାବୀ ମୁତାବକ ସୁନା, ରୂପା ଗହଣା, ଓ ଗୃହପୋଯୋଗୀ ଉପକରଣ ତଥା ପରେ ଏକ ବୁଲେଟ ମୋଟରସାଇକେଲ କିଣିବା ବାବଦରେ ୧ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କୁ ଦିଆଯାଇଥିଲା । ବିବାହ ପରେ ଅଭିଯୁକ୍ତ ତାଙ୍କୁ ଆଣି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଭଡାଘରେ ରଖିଥିଲେ । କିଛି ଦିନ ଯିବା ପରେ ତାଙ୍କ ସ୍ବାମୀ ବିଭିନ୍ନ ଚୋରୀ, ଠକେଇ ଆଦି ମାମଲାରେ ସମ୍ପୃକ୍ତ ଥିବା ଏବଂ ତାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା କଥା ଅଭିଯୋଗକାରିଣୀ ଜାଣିବାକୁ ପାଇଥିଲେ ।

ତେବେ ଅର୍ଥ ଅଭାବ ହେତୁ ଅଭିଯୁକ୍ତ ଜଣକ ଯୌତୁକ ଆକାରରେ ମିଳିଥିବା ସମସ୍ତ ଜିନିଷ ବିକ୍ରି କରିଦେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । ଫଳରେ ଅଭିଯୋଗକାରିଣୀ ନିଜ ୯ ମାସର କନ୍ୟା ସନ୍ତାନକୁ ସାଙ୍ଗରେ ନେଇ ଶିଶୁପାଳ ଗଡରେ ରହୁଥିବା ମାଁ ଙ୍କ ପାଖକୁ ଚାଲିଯାଇଥିଲେ । ତେବେ ଗତ ତା.୦୨.୦୫.୨୦୨୪ରେ ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ଶିଶୁପାଳ ଗଡରେ ପହଞ୍ଚି ଅଭିଯୋଗକାରିଣୀ ଏବଂ ତାଙ୍କ ମାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ୯ ମାସର ଶିଶୁ କନ୍ୟାଙ୍କୁ ଛଡାଇ ଆଣିଥିଲେ ।

ବର୍ତ୍ତମାନ ଅଭିଯୋଗକାରିଣୀ ଏହାର ବିରୋଧ କରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ, ତାଙ୍କ ମାଙ୍କୁ ଏବଂ ଭାଉଜଙ୍କୁ ମାଡ଼ ମାରିଥିଲେ । ଏହାପରେ ଘଟଣା ସମ୍ପର୍କରେ ଥାନାରେ ଏତାଲା ଦେଲେ ସମସ୍ତଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । କୋଳାହଳ ଶୁଣି ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଅଭିଯୁକ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିଲେ ।

ପରେ ଅଭିଯୋଗକାରିଣୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଧଉଳି ଥାନା ପୋଲିସ ଏହି ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଚଢଉ ଜରିଆରେ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କ ନିକଟରୁ ଅଭିଯୋଗକାରିଣୀଙ୍କ ଏକ ସୁନା ଚେନ ମଧ୍ୟ ଜବତ କରାଯାଇଛି । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତ ସୁତାଂଶୁ ମହାନ୍ତି ଓରଫ ଦିପ୍ତିରଞ୍ଜନ ମହାନ୍ତିଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୮ ଟିରୁ ଅଧିକ ଅପରାଧୀକ ମାମଲା ରହିଥିବା ତଦନ୍ତ ବେଲେ ଜଣାପଡିଛି । ବର୍ତ୍ତମାନ ପୋଲିସ ଏହି ମାମଲାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.