ରାଜଧାନୀରେ ମାତିଛନ୍ତି ବୋଲେରୋ ଚୋର, ନିଦାବିଷ୍ଣୁ ସାଜିଛି ପୋଲିସ
କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ବୋଲେରୋ ଚୋର। ପୋଲିସ ପାଉନି ଟେର୍ । ଦିନକୁ ଦିନ ଏହି ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ କମିଶନରେଟ ପୋଲିସ ଲୁଟେରାଙ୍କ କୌଣସି ଖୋଜ୍ ଖବର ପାଉନାହିଁ। ଯାହା ଫଳରେ ଅସନ୍ତୋଷ ଜାହିର କରିଛନ୍ତି ବୋଲେରୋର ମାଲିକମାନେ।
ସୂଚନା ଅନୁସାରେ ଗତ ୮ ଫେବୃଆରୀରେ ଲକ୍ଷ୍ମୀସାଗର ଥାନା ଅଧିନସ୍ଥ ବୁଦ୍ଧେଶ୍ବରୀ କଲୋନୀ ଅଞ୍ଚଳର ମନୋଜ ପାତ୍ରଙ୍କ ଘର ବାହାରେ ଥୁଆ ହୋଇଥିବା ଏକ ବୋଲେରୋ ଚୋରି କରିନେଇଥିଲେ ଲୁଟେରା। ଏହି ଘଟଣାର ଆସାମୀ ଧରା ନପଡୁଣୁ ଅନୁରୂପ ଭାବେ ଗତ ୨ ମାର୍ଚ୍ଚରେ ଖଣ୍ଡଗିରି ଥାନା ଅଧୀନସ୍ଥ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ସି-୧୧ର ରାଜ କୁମାରଙ୍କ ବୋଲେରା ଗାଡ଼ି ଚୋରି କରିଛନ୍ତି ଲୁଟେରା।
କିନ୍ତୁ ବୋଲେରୋ ଚୋରି କରିବା ସମୟରେ ସବୁ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇ ରହିଛି। ହେଲେ ଅଭିଯୁକ୍ତ ମାନଙ୍କୁ ଧରିବାରେ ବିଫଳ ହେଉଛି ପୋଲିସ । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେବେ ଏହି ବୋଲେରୋ ଲୁଟେରା ମାନେ କମିଶନରେଟ ପୋଲିସ ହାତରେ କାବୁ ହେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।