Below header

ସ୍କୁଲରେ ଉଠବସ୍‌ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ, କାନ୍ଦି କାନ୍ଦି ମାଆର ରହୁନି ଚେତା

ମୋ ଭଲ ପୁଅଟା ବାହାରିକି ସ୍କୁଲ ଗଲା । ମରିଗଲା କେମିତି, ମୋ ପୁଅକୁ ମୋତେ ଫେରେଇ ପାରିବ କି? ମୋ କୋଳକୁ ମୋ ପୁଅକୁ ଆଣିଦିଅ ଲୋ । ୧୧ ବର୍ଷ ହେଲା କୋଳେଇ କାଖେଇ ବଡ କରିଥିଲି, ମୋତେ ଏମିତି କେମିତି ଛାଡି ଚାଲିଯିବ ମୋ ପୁଅ ।

ଯାଜପୁର (କେନ୍ୟୁଜ) : ଛାତି ଫଟାଇ କାନ୍ଦି କାନ୍ଦି ସେଇ ଗୋଟିଏ କଥା ମୋ ପୁଅ ତ ଖାଇ ପିଇ ସକାଳୁ ସ୍କୁଲ ଗଲା । ମୋ ଭଲ ପୁଅଟା ବାହାରିକି ସ୍କୁଲ ଗଲା । ମରିଗଲା କେମିତି, ମୋ ପୁଅକୁ ମୋତେ ଫେରେଇ ପାରିବ କି? ମୋ କୋଳକୁ ମୋ ପୁଅକୁ ଆଣିଦିଅ ଲୋ । ୧୧ ବର୍ଷ ହେଲା କୋଳେଇ କାଖେଇ ବଡ କରିଥିଲି, ମୋତେ ଏମିତି କେମିତି ଛାଡି ଚାଲିଯିବ ମୋ ପୁଅ । କହି କହି ଚେତାଶୂନ୍ୟ ହୋଇପଡୁଛି ମାଆ । ମାଆର ଏ ବୁକୁ ଫଟା କାନ୍ଦକୁ ଯିଏ ଶୁଣୁଛି ସେ ମଧ୍ୟ କାନ୍ଦି ପକାଉଛନ୍ତି । ସମସ୍ତଙ୍କ ଆଖିରେ ଲୁହ । ପରିବାର ସହିତ ପାଖ ପଡୋଶୀ ବି ଗ୍ରହଣ କରିପାରୁନାହାଁନ୍ତି ଏଭଳି ଏକ ସ୍ଥିତିକୁ । ହଁ ମାଆକୁ ଛାଡି ଚାଲିଗଲା ରୁଦ୍ର । ସବୁଦିନ ପାଇଁ ଏକା କରି ଛାଡି ଚାଲିଗଲା ରୁଦ୍ର । ଶିକ୍ଷକ କଣ ଯେ ଟିକେ ଉଠବସ୍‌ ହେବାକୁ କହିଲେ ଯେ ସେଇଠି ହିଁ ଟଳି ପହିଲା ରୁଦ୍ର ।

ହଁ ଆଜ୍ଞା ସ୍କୁଲକୁ ପାଠ ପଢିବାକୁ ଯାଇଥିବା ବେଳେ ଶ୍ରେଣୀ ଗୃହରେ ଉଠବସ ହେବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ସୂର୍ଯ୍ୟ ନାରାୟଣ ନୋଡାଲ ଉପ୍ରା ବିଦ୍ୟାଳୟରେ। ସୂଚନା ମୁତାବକ ଗତକାଲି ଖେଳ ଛୁଟି ପରେ ବିଦ୍ୟାଳୟରେ ଛାତ୍ରମାନେ ଖେଳୁଥିବା ଦେଖି ବିଦ୍ୟାଳୟର ଶିକ୍ଷୟିତ୍ରୀ ସମ୍ପୃକ୍ତ ଛାତ୍ରମାନଙ୍କୁ କେତେକ ପ୍ରଶ୍ନ କରିଥିଲେ। ତେବେ ଉତ୍ତର ଦେଇ ନପାରିବାରୁ ଛାତ୍ରଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଉଠବସ ହେବାକୁ କହିଥିଲେ। ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଛାତ୍ରମାନେ ଉଠବସ ହେଇଥିଲେ । ପ୍ରଥମେ ରୂଦ୍ର ଆଣ୍ଠେଇଥିଲା ତାପରେ ମାତ୍ର ଦୁଇରୁ ତିନିଥର ଉଠ ବସ ହୋଇ ସଂଜ୍ଞାହୀନ ହୋଇ ତଳେ ପଡି ଯାଇଥିଲେ। ଏହା ଦେଖି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପାଣି ଛାଟିଥିଲେ। ତେବେ ଏହି ଅବସ୍ଥାରେ ଉନ୍ନତି ନଆସିବାରୁ ପରିବାର ଲୋକଙ୍କୁ ଖବର ଦେବା ସହ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କଟକ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର ଲୋକେ ଚିକିତ୍ସା ପାଇଁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମନ ନବୁଝିବାରୁ ପରେ କଟକ ମେଡିକାଲ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପ୍ରଚାରିତ ହେବା ପରେ ଆଜି ରସୁଲପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ଛାତ୍ରର ସ୍ୱାସ୍ଥ୍ୟ ଗତ ସମସ୍ୟା ଥିବା ଜାଣିବାକୁ ପାଇଥିଲେ। ତେବେ ୩ଦିନ ପୂର୍ବେ ରୁଦ୍ର ନାରାୟଣ ପରିବାର ଲୋକଙ୍କ ସହ ପୁରୀ ଯାଇ ଫେରିବା ପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନେଇ ଘରେ କିଛି ଖାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ରୁଦ୍ରଙ୍କର ହୃଦଜନିତ ସମସ୍ୟା ଥିବା ମଧ୍ୟ ଜାଣିବାକୁ ମିଳିଛି। ତେବେ ଏହି ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମୃତଦେହ ଵ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଏହାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରସୁଲପୁର ଏବିଇଓ। ରୁଦ୍ର କେଉଁ କାରଣ ପାଇଁ ମଲା, କଣ ହେଇଥିଲା ସେ ସବୁ ତ ରିପୋର୍ଟ ଆସିବା ପରେ ଜଣାପଡିବ । କିନ୍ତୁ ଏ ମାଆର କୋଳଶୂନ୍ୟ ହେଇଗଲା ନା । ରୁଦ୍ର ତ ଆଉ ଫେରିବନି ତା ମାଆ ପାଖକୁ । ଅଳି କରିବନି ଏଟା ଖାଇବିନି ମୁଁ ସେଟା ଖାଇବିନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.