ସ୍ତ୍ରୀ ତ ହାରିଗଲା ଏବେ ମୁଁ ଦେଇଥିବା ଟଙ୍କା ତୁରନ୍ତ ଫେରାଅ, ଭିଡିଓ ଭାଇରାଲ

ବଲାଙ୍ଗିର(କେନ୍ଯୁଜ୍): ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ ଥିଲେ। ସ୍ତ୍ରୀକୁ ଜିତାଇବା ପାଇଁ ଘର ଘର ବୁଲି ଭୋଟରଙ୍କୁ ଟଙ୍କା ବାଣ୍ଟିଥିଲେ ସ୍ଵାମୀ। ହେଲେ ନିର୍ବାଚନରେ ପରାଜିତ ହେବା ପରେ ଭୋଟ ପାଇଁ ବାଣ୍ଟିଥିବା ଟଙ୍କା ଫେରସ୍ତ କରିବା ପାଇଁ ଭୋଟରଙ୍କୁ କହୁଛନ୍ତି।
ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବରେ ନିର୍ବାଚନ ପ୍ରଚାର ସମୟରେ ସ୍ଵାମୀ ଟଙ୍କା ବାଣ୍ଟିଥିଲେ। କିନ୍ତୁ ସ୍ତ୍ରୀ ନିର୍ବାଚନ ହାରିଯିବାରୁ ତାଙ୍କ ସ୍ବାମୀ ଗାଁ ଗାଁ ବୁଲି ପୁଣି ବାଣ୍ଟିଥିବା ଟଙ୍କା ଫେରସ୍ତ ମାଗୁଛନ୍ତି । ଉପରଝର ଗ୍ରାମରେ ସେ ଟଙ୍କା ମାଗୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓର ସତ୍ୟତା ନେଇ ଯାଞ୍ଚ ହେବା ଆବଶ୍ୟକ । ଅନ୍ୟପକ୍ଷରେ ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କର କୌଣସି ପ୍ରତିକ୍ରିୟା ମିଳି ନାହିଁ ।