Below header

ଇସ୍ପାତ, ଆଲୁମିନିୟମ ଓ ଥର୍ମାଲ ପାୱାର କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ହାଇଲେଭଲ କ୍ଲିୟରାନ୍ସ ଅଥରିଟିର ମିଳିଲା ଅନୁମୋଦନ

କେନ୍ୟୁଜ(ବ୍ୟୁରୋ): ଇସ୍ପାତ, ଆଲୁମିନିୟମ ଓ ଥର୍ମାଲ ପାୱାର କ୍ଷେତ୍ରରେ ୧୭ ହଜାର ୮ଶହ ୩୩ କୋଟି ଟଙ୍କାର ୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ । ଖାରବେଳ ଭବନ କନଫରେନ୍ସ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ କ୍ଲିୟରାନ୍ସ ଅଥରିଟି-ଏଚଏଲସିଏ ଏହାକୁ ଅନୁମୋଦନ କରିଛି । ଏହା ଦ୍ୱାରା ମୋଟ ୬ ହଜାର ୫ଶହ ୩୯ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ାରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ବାର୍ଷିକ ୨ ମିଲୟନ ଟନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ନିବେଶ ହେବ ୮ ହଜାର କୋଟି ଟଙ୍କା ।

hlca2

ପ୍ରାୟ ୪ ହଜାର ଶହ ୨୫ ଜଣ ନିଯୁକ୍ତି ପାଇବେ । ସେହିପରି ଅନୁଗୁଳ ଜିଲ୍ଲା ତାଳଚେରରେ ଏନଟିପିସିର ଥର୍ମାଲ ପାୱାର ପ୍ଲାଣ୍ଟ ସଂପ୍ରସାରଣ ପ୍ରସ୍ତାବ ମଧ୍ୟ ଏଚଏଲସିଏ ଅନୁମୋଦନ ଲାଭ କରିଛି । ଏଥିିପାଇଁ ଅତିରିକ୍ତ ୭ହଜାର ୬୯୮ କୋଟି ୪୬ ଲକ୍ଷ ଟଙ୍କା ନିବେଶ ହେବ । ସେହିପରି ସୁନ୍ଦରଗଡ଼ ଜିଲ୍ଲା କମଣ୍ଡା ଗାଁରେ ରୁଙ୍ଗଟା ମାଇନ୍‌ସର ୨.୭ ଲକ୍ଷ ଟନ ବାର୍ଷିକ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ ଉତ୍ପାଦନ ପ୍ରକଳ୍ପର ସଂପ୍ରସାରଣକୁ ମଧ୍ୟ ଅନୁମତି ମିଳିଛି । ଏହି ସଂପ୍ରସାରଣରେ ୨ହଜାର ୧୩୫ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏହି ଉଦ୍ୟୋଗର ବାର୍ଷିକ ଉତ୍ପାଦନ କ୍ଷମତା ୯ ଲକ୍ଷ ଟନକୁ ବୃଦ୍ଧି ପାଇବ । ଏଥିସହ ୨ହଜାର ୨୮୯ଜଣ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଚଏଲସିଏ ବୈଠକରେ ମେକ ଇନ ଓଡ଼ିଶା ୨୦୧୬ ଓ ମେକ ଇନ ଓଡ଼ିଶା ୨୦୧୮ରେ ନିବେଶ ପ୍ରସ୍ତାବ ଉପରେ ସମୀକ୍ଷା କରାଯାଇଛି । ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମା ମେକ ଇନ ଓଡ଼ିଶା ୨୦୨୦ର ସଫଳତା ପାଇଁରୋଡମ୍ୟାପ ଉପସ୍ଥାପନ କରିଥିଲେ । ଯେଉଁଥିରେ ଶିଳ୍ପ ପାଇଁ ଉପଯୁକ୍ତ ଭିତ୍ତିଭୂମି, ଯୋଜନା ଏବଂ ଏହାସବୁର ପ୍ରସାରଣ ଦ୍ୱାରା ନିବେଶକଙ୍କୁ ଆକୃଷ୍ଟ କରିବାର ଉଦ୍ୟମ ଅନ୍ତର୍ଭୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.