Below header

ଭଦ୍ରକ: ପକ୍କା ପୋଲ ନିର୍ମାଣ ପାଇଁ ତିହିଡି ଶ୍ୟାମସୁନ୍ଦରପୁର ତଳଦୁମୁକା ଗାଁର ସାହାରା ଥିବା ପଟ୍ଟାପୋଲକୁ ଭାଙ୍ଗିଦେଲା ଠିକାଦାର, କିନ୍ତୁ କରୁନାହିଁ କାମ

ଚାନ୍ଦବାଲି(କେନ୍ୟୁଜ୍): ଆଗକୁ ଆସୁଛି ବର୍ଷା ଦିନ । ତେଣୁ ନିଜ ଗାଁ ରାସ୍ତାକୁ ନେଇ ଚିନ୍ତାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ତଳଦୁମୁକା ଗାଁ ଖଟୁଆସାହି ଲୋକେ । ଗାଁ କୁ ଯିବା ପାଇଁ ପୂର୍ବରୁ ବିଶିନାଳି ଉପରେ ଏକ ପଟ୍ଟା ପୋଲ ଥିଲା । କିନ୍ତୁ ୩ ମାସ ତଳେ ସରକାରଙ୍କ ଡ୍ରେନେଜ ବିଭାଗ ତରଫରୁ ପକ୍କା ପୋଲ ନିର୍ମାଣ କରିବା ପାଇଁ ପଟ୍ଟା ପୋଲ ଭଙ୍ଗାଯାଇଥିଲା । 

କିନ୍ତୁ ପଟ୍ଟା ପୋଲ ଭାଙ୍ଗିବାର ୩ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠିକାଦାର ପକ୍କା ପୋଲ କାର୍ଯ୍ୟ ଆରମ୍ଭ କରିନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଲକଡାଉନ କଟକଣା ବାହାନା ନେଇ ଠିକାଦାର କାମ କରୁନଥିବା ବେଳେ ଡ୍ରେନେଜ ବିଭାଗ ତରଫରୁ କାମ ଆରମ୍ଭ ହେଲା କି ନାହିଁ ତାର ତଦାରଖ କରାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ । ତେଣୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଅନ୍ୟ ପଟେ ଆଗକୁ ବର୍ଷା ଦିନ ଆସୁଛି ।ଅଧିକ ବର୍ଷା ହେଲେ ସେହି ସ୍ଥାନରେ ଅସ୍ଥାୟୀ ରାସ୍ତା ଉପରେ ପାଣି ଚାଲିବ ।

ତେଣୁ ପିଲା ଠୁ ବୁଢା ସମସ୍ତେ ହଇରାଣ ହେବେ ବୋଲି ଅଭିଯୋଗ କରିଛନ୍ତି କିଛି ଗାଁ ଲୋକେ । ତେବେ ଏଇ କିଛି ଦିନ ତଳେ ପୋଲ କାମ ନେଇଥିବା ଠିକାଦାର ଗାଁ କୁ ଯାଇ ଲୋକଙ୍କ ସହ କାମ ବାବଦରେ ଆଲୋଚନା କରିଥିଲେ ।ହେଲେ ଗାଁ ଲୋକେ ଅସନ୍ତୋଷ ଜାହିର କରିବା ସହ ତୁରନ୍ତ କାମ ଆରମ୍ଭ କରିବାକୁ ଦାବି କରିଥିଲେ । ତେବେ ଲକ ଡାଉନ କଟକଣା ପାଇଁ କାମ ଆଗେଇ ପାରିନଥିବା କହିଛନ୍ତି ଠିକାଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.