Below header

ଯୁବ କଳାକାର ତଥା ସଂଗଠକ ଦୀନବନ୍ଧୁ ଆଚାର୍ଯ୍ୟଙ୍କ ପରଲୋକ

ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରାର ଯୁବ କଳାକାର ତଥା ସଙ୍ଗଠକ ଦୀନବନ୍ଧୁ ଆଚାର୍ଯ୍ୟ (ଚଗଲା)ଙ୍କ ୩୭ ବର୍ଷ ବୟସରେ ପରଲୋକ ହୋଇଛି ।

ଦଶପଲ୍ଲା(କେନ୍ୟୁଜ): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରାର ଯୁବ କଳାକାର ତଥା ସଙ୍ଗଠକ ଦୀନବନ୍ଧୁ ଆଚାର୍ଯ୍ୟ (ଚଗଲା)ଙ୍କ ୩୭ ବର୍ଷ ବୟସରେ ପରଲୋକ ହୋଇଛି । ସେ କିଛିଦିନ ଧରି ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହୋଇ କଟକରେ ଚିକିତ୍ସିତ ହେଉଥିଲେ । ଦୀନବନ୍ଧୁ ଉକ୍ତ ଅଂଚଳରେ ଜଣେ ଯୁବ ସଙ୍ଗଠକ ସମେତ ଭଲ କଳାକାର ଭାବେ ପରିଚିତ ଥିଲେ ।

ଗାଁ ଡ୍ରାମାରେ ପ୍ରାୟ ୨୦ ବର୍ଷରୁ ଅଧିକ ସମୟ ଧରି ୩୦ ରୁ ଊର୍ଦ୍ଧ୍ଵ ନାଟକରେ ନିଜର ନିଖୁଣ ଅଭିନୟ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ସମସ୍ତ ନାଟକ ମଧ୍ୟରୁ ଜୁଇ ଭିତରେ ମୋ ସଂସାର ଠିଆ ,ମିଛ ସଂସାର ,ନୁପୁର କହିବ ନୂଆ କାହାଣୀ,କେମିତି ସହିବି କୁହ, ଅଦିନ ବରଷା ଭାଙ୍ଗିଲା ବସା ,କାଲିର ବନ୍ଧନ କଳା ଚନ୍ଦନ ଭଳି ୧୫ ରୁ ଊର୍ଦ୍ଧ୍ଵ ନାଟକରେ ଚଗଲାଙ୍କ ଅଭିନୟ ଲୋକଙ୍କ ମନକୁ ଛୁଇଁଥିବା ବେଳେ ମିଛ ସଂସାର ନାଟକ କୁ କନ୍ଧମାଳ ଜିଲ୍ଲାର ଦାରୀଙ୍ଗିବାଡ଼ି,ସଙ୍କରାଖୋଲରେ ମଧ୍ୟ ପରିବେଷଣ କରି ଦର୍ଶକଙ୍କ ମନରେ ନିଜ ଅଭିନୟର ଛାପ ଛାଡିଥିଲେ ।

ତାହା ସହିତ ଶଙ୍ଖା ଭାଙ୍ଗିଦେଲି ସିନ୍ଦୂର ପାଇଁରେ ନିଜେ ଚଗଲା ଟାକରାରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ବିଭିନ୍ନ ବ୍ୟକ୍ତିଙ୍କୁ ଅସମୟରେ ସହଯୋଗର ହାତ ବଢ଼ାଇ ନିଜର ବଦାନ୍ୟ ଗୁଣ ଦେଖାଉଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏପରିକି ଜାଗର ଯାତ୍ରା ପାଇଁ ଅନୁଷ୍ଠିତ ହୋଇଥିବା ଡ୍ରାମାରେ ତାଙ୍କର ପରଲୋକ ଖବର ଯୁବ କଳାକାରଙ୍କୁ ମର୍ମାହତ କରିଛି । ସମସ୍ତ କଳାକାର ଓ ଦର୍ଶକ ମଞ୍ଚ ଉପରେ ନୀରବ ପ୍ରାର୍ଥନା ମଧ୍ୟ କରିଥିଲେ । ସେ ପ୍ରତ୍ୟେକ ସମୟରେ ନିଜ ଅଞ୍ଚଳର ସମସ୍ୟା କିଭଳି ସମାଧାନ ହୋଇପାରିବ ସେଥିପ୍ରତି ବିଶେଷ ସଜାଗ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.