ୱାଲଟିୟର ଡିଭିଜନ ବିଭାଜନ ପରେ କମିବ ପୂର୍ବତଟ ରେଳବାଇ ରାଜସ୍ୱ

ଭୁବନେଶ୍ବର : ପୂର୍ବତଟ ରେଳବାଇକୁ ଭାଙ୍ଗି ନୂଆ ସାଉଥ କୋଷ୍ଟ ରେଲୱେ ଗଠନ ପରେ ଓଡ଼ିଶା ପାଇଁ କ’ଣ ହେବ ଅସୁବିଧା? ଅର୍ଥନୈତିକ ଦୃଷ୍ଟିରୁ ପଡ଼ିବ କି ପ୍ରଭାବ ? ପୂର୍ବତଟ ରେଳବାଇ ଅଧିନରେ ଥିବା ଡିଜେଲ ଇଂଜିନ ସେଡ୍‌ଠାରୁ ଆରମ୍ଭ କରି ୱାଗନ ମେଣ୍ଟେନାନ୍‌ସ ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ସବୁ ରହିଛି ୱାଲଟିୟର ଡିିଜିଜନ ବିଶାଖାପାଟଣାରେ । ସେହିପରି ବିଶାଖାପାଟଣାରେ ରହିଛି ପୂର୍ବତଟ ରେଳପଥର ସବୁଠାରୁ ବଡ଼ ଇଲେକ୍ଟ୍ରିକ ଇଂଜିନ ସେଡ୍‌ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ୱାଲଟିୟର ଡିଭିଜନ ସାଉଥ କୋଷ୍ଟ ରେଲୱେର ବିଜୟୱାଡା ଡିଭିଜନରେ ରହିବ । ଫଳରେ ଉଭୟ ପୂର୍ବତଟ ରେଳବାଇ ଓ ଓଡ଼ିଶାର ଅଧିକ କ୍ଷତି ହେବାର ସମ୍ଭାବନା ରହିଛି । ପ୍ରତିବାଦରେ ଆସନ୍ତାକାଲି ପୂର୍ବତଟ ରେଳବାଇ ମୁଖ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି।

ଓଡ଼ିଶାରେ ରେଳପଥ ଭିତ୍ତିଭୂମି ତିନୋଟି ଜୋନ୍‌ ମଧ୍ୟରେ ଆସୁଛି। ପୂର୍ବତଟ ରେଳବାଇକୁ ବାଦ୍‌ ଦେଲେ ରାଉରକେଲା, ଝାରସୁଗୁଡା ଆଦି ଅଂଚଳ ଚକ୍ରଧରପୁର ରେଳବାଇ ଡିଭିଜନରେ ରହିଛି। ସେହିପରି ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଲୱେ ଜୋନର କିଛି ଅଂଶ ଓଡ଼ିଶାରେ ଅଛି। ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ, ଯଦି ୱାଲଟିୟର ଡିଭିଜନର ପୁନର୍ଗଠନ ହୁଏ ତାହେଲେ ଓଡ଼ିଶାରେ ତିନୋଟି ନୂଆ ଡିଭିଜନ ଖୋଲାଯାଉ। ହେଲେ ଏବେ ଆନ୍ଧ୍ରର ସ୍ୱାର୍ଥକୁ ଆଖିରେ ରଖି ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି । ସେପଟେ ଏହି ନିଷ୍ପତ୍ତି କଂଗ୍ରେସ ଅମଳର କହି ଦୋଷ ଠେଲୁଛି ବିଜେପି।

ପୂର୍ବତଟ ରେଳବାଇ ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ଦେଉଛି । କେନ୍ଦ୍ରର ନିଷ୍ପତ୍ତି ପରେ ପୂର୍ବତଟ ରେଳବାଇର ରାଜସ୍ୱ କମିବ।