୨୦୨୨-୨୩ ବର୍ଷ ପାଇଁ ବଢ଼ିବନି ବିଦ୍ୟୁତ ଦର,ଗ୍ରାମାଞ୍ଚଳ ବିଦ୍ୟୁତ ଗ୍ରାହକଙ୍କ ପାଇଁ ୧୦ ପଇସା ରିହାତି

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ଥର ବଢ଼ିବନି ବିଦ୍ୟୁତ ଶୁଳ୍କ । ୨୦୨୨-୨୩ ବର୍ଷ ପାଇଁ ବିଜୁଳି ଦର ବଢିବ ନାହିଁ । ରାଜ୍ୟ ସରକାର ରିଟେଲ ବିଦ୍ୟୁତ ଶୁଳ୍କକୁ ଅପରିବର୍ତ୍ତିତ ରଖିଛନ୍ତି । ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ । କୃଷିକ୍ଷେତ୍ର ପାଇଁ ଉଠା ଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି ମିଳିବ । ବିଦ୍ୟୁତ ଚାଳିତ ଯାନ ପାଇଁ ୫ ଟଙ୍କା ୫୦ ପଇସା ଟାରିଫ୍‌ ଧାର୍ଯ୍ୟ କରାଯାଇଛି । ପୂର୍ବବର୍ଷ ଭଳି ୫୦ ୟୁନିଟ୍‌ ଯାଏ ୟୁନିଟ ପିଛା ଦର ୩ ଟଙ୍କା ରହିବ । ୫୦ରୁ ୨୦୦ ୟୁନିଟ ଯାଏ ଦର ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ଯାଏ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ । ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ । ସେହିପରି ଉପଭୋକ୍ତାମାନେ ନିଜ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡରେ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ ବୋଲି କହିଛନ୍ତି ଓଇଆରସି ସଚିବ ।

ସାମ୍ବାଦିକ ସମ୍ମିଳନୀରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି  ୫୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର ପାଇଁ ୟୁନିଟ ପିଛା ୩ ଟଙ୍କା ଲେଖାଏଁ ଆଦାୟ କରାଯିବ । ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ ଟଙ୍କା ୮୦ ପଇସା ଓ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ ପିଛା ୬ ଟଙ୍କା ୨୦ ପଇସା ଶୁଳକ ଆଦାୟ କରାଯିବ । ଏହାଛଡ଼ା ଡିଜିଟାଲ ପେମେଣ୍ଟ ପାଇଁ ୩ ପ୍ରତିଶତ ସବସୀଡି ମିଳିବ । ବିଦ୍ୟୁତ ଶୁଳକ ବାବଦରେ ଓଇଆରସିର ଶୁଣାଣି ବେଳେ ଦର ନ ବଢାଇବାକୁ ରାଜ୍ୟ ସରକାର ଗତ ଫେବ୍ରୁଆରି ୨୦ରେ ଓଇଆରସିଙ୍କୁ ଅନୁରୋଧ କରିଥିଲେ ।

ବିଦ୍ୟୁତ କ୍ରୟ ବାବଦ ଖର୍ଚ୍ଚ ୧୯ ପଇସା ବଢିଥିଲେ ବି ତାହାକୁ ଆଡଜଷ୍ଟ କରି ଦର ନ ବଢାଇବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ କୁହାଯାଇଥିଲା । ଏହି ବିତରଣ କମ୍ପାନିମାନଙ୍କ ପାଖରେ ୩୫୫ କୋଟିର ବଳକା ରାଶି ଥିବାରୁ ତାହାକୁ ଆଡଜଷ୍ଟ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.