Below header

ଘୋଡ଼ାରେ ଯନ୍ତ୍ରୀ ସବାର, ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ରାସ୍ତା ଓ ପୋଲ ନିର୍ମାଣ ପାଇଁ କରୁଛନ୍ତି ସର୍ଭେ

ମାଲକାନଗିରି: ଘୋଡ଼ାରେ ଯନ୍ତ୍ରୀ ସବାର । ବୁଲୁଛନ୍ତି ଗାଁ ଗାଁ । ରାସ୍ତା ଓ ପୋଲ ନିର୍ମାଣ ପାଇଁ କରୁଛନ୍ତି ସର୍ଭେ । ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଧାରିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି । ଇଏ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ପ୍ରଶାନ୍ତ କୁମାର ବେହେରା । ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ଢେର ପ୍ରଶଂସା ସାଉଁଟିଛନ୍ତି ।

ସ୍ୱାଭିମାନ ଅଞ୍ଚଳରେ କିପରି ବିଭିନ୍ନ ଗାଁକୁ ସଡ଼କ ପଥରେ ଯୋଗାଯୋଗ ହୋଇପାରିବ ସେଥିପାଇଁ ଅହରହ ଲାଗିଛନ୍ତି । ବାଲିମେଳା ଜଳଭଣ୍ଡାର ଯୋଗୁଁ ବିଚ୍ଛିନ୍ନାଞ୍ଚଳ ଭାବେ ବହୁ ଗାଁର ଲୋକେ ଜୀବନ କାଟୁଛନ୍ତି । ସେସବୁ ଗାଁକୁ ଯିବାକୁ ରାସ୍ତା ନାହିଁ । ଏହାସାଙ୍ଗକୁ ମାଓବାଦୀଙ୍କ ଆଡୁ ବିପଦ ଆଶଙ୍କା । ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମୁଖ୍ୟମନ୍ତ୍ରୀ ଶହେ କୋଟି ଟଙ୍କା ଯୋଗାଯୋଗ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଘୋଷଣା କରିଛନ୍ତି । ଏସବୁ ଅଞ୍ଚଳରେ ରାସ୍ତା କାମ କରିବା ଏତେ ସହଜ ନୁହେଁ । ହେଲେ କର୍ମନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା କିନ୍ତୁ ହାରି ଯାଇନାହାନ୍ତି ।

ଲାଲ ଭୟ ଓ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ ସ୍ୱାଭିମାନ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ କେତେବେଳେ ଡଙ୍ଗାରେ ତ କେତେବେଳେ ଘୋଡ଼ା ଚଢ଼ି ବଲୁଛନ୍ତି । ପୁଣି ଯେଉଁଠିକୁ ଘୋଡ଼ାରେ ଯିବା ସମ୍ଭବ ନୁହେଁ ସେଠାକୁ ଚାଲି ଚାଲି ଯାଇ ରାସ୍ତା ଓ ପୋଲ କାମର ସର୍ଭେ କରୁଛନ୍ତି । କେବଳ ଏତିକି ନୁହେଁ ସ୍ୱାଭିମାନ ଅଞ୍ଚଳର ଗରିବ ଲୋକ ଓ କୁନି କୁନି ପିଲାଙ୍କ ପାଇଁ ପୁରୁଣା ପୋଷାକ ସଂଗ୍ରହ କରି ସେମାନଙ୍କୁ ବାଣ୍ଟୁଛନ୍ତି । ବିଭିନ୍ନ ସମୟରେ ଅସମ୍ଭବ କାର‌୍ୟ୍ୟକୁ ସମ୍ଭବ କରି ଦେଖାଇଥିବା ଏହି ଜେଇ ପ୍ରଶାନ୍ତ କୁମାର ବେହେରା ଅନେକ ପୁରସ୍କାର ପାଇଛନ୍ତି । ଖଇରପୁଟ ବ୍ଲକରେ ଯନ୍ତ୍ରୀ ଦାୟିତ୍ୱରେ ଥିଲେ ବି ପୂରା ସ୍ୱାଭିମାନ ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.