Below header

ପୋଲିସ୍‌ ବାବୁ, ଆମକୁ ପୁଅ ମାଡ଼ ମାରୁଛି : ପୁଅ ଦାଉ ସହି ନପାରି ନ୍ୟାୟ ପାଇଁ ଥାନାରେ ବୁଢ଼ା ବାପା ମା’

ଭଦ୍ରକ (କେନ୍ୟୁଜ) : ନିଜ ପୁଅ ପାଖରେ ସୁରକ୍ଷିତ ନାହଁନ୍ତି ବାପା ମାଆ। ଗୋଟିଏ ବୋଲି ପୁଅ, ତେଣୁ କେତେ ଶ୍ରଦ୍ଧାରେ ଛୋଟରୁ ସବୁ ଅଳି ଅର୍ଦ୍ଦଳି ସହି ବଡ କରିଥିଲେ। ହେଲେ ସେହି ପୁଅ ଆଜି ବାପା ମାଆଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଉନି। ଖାଇବାକୁ ଦେଉନି, ଘରେ ଚାବି ପକାଇ ମାଡପିଟ୍ କରୁଛି। କେମିତି କେଜାଣି ଏ ପୁଅର ହାତ ଯାଉଛି ବାପା ମାଆଙ୍କୁ ବାଡେଇବାକୁ।

ସବୁ ବାପା ମାଙ୍କ ଭଳି ଏମାନେ ବି ଆଶା ରଖିଥିଲେ ପୁଅ ବଡ଼ ହେଲେ ବୃଦ୍ଧବସ୍ଥାରେ ସେମାନଙ୍କ ଦେଖା ଶୁଣା କରିବ। କିନ୍ତୁ ଏମିତି ହେଲା ଯେ ପୁଅ ବଡ଼ ହୋଇ ନିଜ ବାପା ମାଆଙ୍କ ସେବା କରିବ କଣ ଓଲଟି ବାହା ହେଲା ପରେ ନିଜର ବୁଢ଼ା ବାପା ମାଆଙ୍କୁ ଘରେ ମାଡ଼ ମାରି ଚାବି ପକାଇ ଅକଥନୀୟ ର୍ନିଯ୍ଯାତନା ଦେଉଛି। ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ପଳିକିରି ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ଗୋପବନ୍ଧୁ ଦାସ ଓ ଉମାମଣି ଦାସଙ୍କର ଗୋଟିଏ ବୋଲି ପୁଅ ଗଦାଧର ଦାସ। ଗୋଟିଏ ପିଲା ବୋଲି ବହୁ ଆଦରରେ ବଡ଼ କରିଥିଲେ। କିନ୍ତୁ ପୁଅ ବାହା ହେଲା ପରେ ମଦ ପିଇ ବାପା ମାଙ୍କୁ ବିଭିନ୍ନ ସମୟରେ ମାଡ ମାରୁଛି। ପୁଅର ଏଭଳି ଅତ୍ୟାଚାରକୁ ବହୁ ଦିନ ଧରି ସହିବା ପରେ ଶେଷରେ ଥାନାର ଦ୍ବାରସ୍ଥ ହୋଇଥିଲେ ବୃଦ୍ଧ ବାପା ମାଆ। ଏ ନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ ପରେ ପୁଅ ସମସ୍ତଙ୍କ ସମ୍ମୁଖରେ ଭୁଲ ମାଗି ଘରକୁ ନେଇଥଲା।

କିନ୍ତୁ ଅମଣିଷ କୁଳାଙ୍ଗାର ପୁଅ ପୁଣି ମଦ ପିଇ ବାପା ମା ଙ୍କୁ ମାଡ଼ ମାରିବା ସହ ଘର ଭିତରେ ଚାବି ପକାଇ ରଖି ଖାଇବାକୁ ଦେଲା ନାହିଁ। ମା ଜଣେ ହାର୍ଟ ରୋଗୀ। ଶେଷରେ ଉଭୟ ମା ଓ ବାପା ଘରୁ ବାହାରି ରାତିରେ ପଡିଶା ଘରେ ରହିବା ସହ ଶେଷରେ ପୁଅକୁ ଗିରଫ ପାଇଁ ଭଦ୍ରକ ଏସପିଙ୍କ କାର୍ଯ୍ଯାଳୟକୁ ଆସି ଗୁହାରି କରିଛନ୍ତି। ଭଦ୍ରକ ଟାଉନ ପୋଲିସ ଉଭୟ ମା ବାପା ଓ ପୁଅ ଗଦାଧର ଦାସକୁ ଥାନାକୁ ନେଇ ଘଟଣା ସମ୍ପର୍କ ରେ ପଚରା ଉଚରା କରୁଛି। ତେବେ ପୁଅ ଠାରୁ ତ୍ରାହି ପାଇବା ପାଇଁ ବାପା ମା କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.