Below header

ଦାରିଙ୍ଗବାଡି ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ, ଶାଳକାଠ ଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୧୫ ଖଣ୍ଡ ଶାଳକାଠ ଗଣ୍ଡିସହ ଏକ ମିନିଟ୍ରକକୁ ଜବତ କରିଛି ବନ ବିଭାଗ ।  ଅନ୍ୟ ଜିଲ୍ଲାର କାଠ ମାଫିଆ ସୋମବାର ଦିନ ଚୋରାଚାଲାଣ କରୁଥିବା ବେଳେ ଚଢାଉ କରିଥିଲା ବନ ବିଭାଗ।  ଏଥିରେ ସମ୍ପୃକ୍ତ ଥିବା ୪ଜଣ କାଠମାଫିଆଙ୍କୁ ମାମଲା ନଂ.୮୦/୧୯-୨୦ ଅନୁଯାୟୀ ବନ ବିଭାଗ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର କହ୍ନୁ ଚରଣ ମହାକୁଡ଼, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ଆପୁ ମାଝି, ସୁନେସ ମୁଠାମାଝି, ଓ ଗୁରୁବାରୀ ମାଝି । ଖବର ମୁତାବକ ଉକ୍ତ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆ ଦୁର୍ବୃତ୍ତମାନେ ପୂର୍ବରୁ ବଡ଼ ବଡ଼ ଶାଳ ଗଛ କାଟି ଦେଇଥିଲେ। କଟାଗଛକୁ ରବିବାର ବିଳମ୍ବିତ ରାତିରେ ଏକ ମିନିଟ୍ରକ (ନଂ ଓଆର-୦୭ଇ-୫୮୭୫)ରେ ଲୋଡ୍‌ କରି ସୋମବାର ଭୋର୍‌ରେ ବଡ଼ଗଡ଼କୁ ବେଆଇନ୍‌ ଚାଲାଣ କରାଯାଉଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ନବୀନ ଚନ୍ଦ୍ର ମଲ୍ଲିକ, ବନରକ୍ଷୀ ଦୀପକ ପଟ୍ଟନାୟକ, ମନୋରଞ୍ଜନ ପରିଚ୍ଛା, ପ୍ରଫୁଲ୍ଲ ଚୌଧୁରୀ ପ୍ରମୁଖ ସଦଳବଳ ଚଢ଼ାଉ କରି ଗାଡ଼ି ସହ କାଠ ଜବତ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.