Below header

ବାଲେଶ୍ଵର ସଦର ଏସଡିପିଓଙ୍କ ବଡପଣ: ଅବସର ଦିନ ନିଜେ ଗାଡ଼ି ଚଲାଇ ଡ୍ରାଇଭରଙ୍କୁ ଘରେ ଛାଡ଼ି ଆସିଲେ

ବାଲେଶ୍ଵର ସଦର ଏସଡିପିଓଙ୍କ ବଡପଣ । ଗତକାଲି ଏସଡିପିଓଙ୍କ ଗାଡି ଚଳାଉଥିବା ଡ୍ରାଇଭରଙ୍କର ଥିଲା ଚାକିରିର ଶେଷ ଦିନ । ଯାହାକୁ ସ୍ମରଣୀୟ କରିବା ପାଇଁ ଏସଡିପିଓ କରିଥିଲେ କିଛି ନିଆରା ।

ବାଲେଶ୍ଵର(କେନ୍ୟୁଜ): ସକାଳଠୁ ରାତି ସବୁବେଳେ ସବୁ ସମୟରେ ତାଙ୍କ ସହିତ ଯାଆସ କରୁଥିଲେ । କାମ ପଡିଲା ମାତ୍ରକେ ପ୍ରତି ମୁହୂର୍ତ୍ତରେ ତାଙ୍କୁ ପଡୁଥିଲା ଖୋଜା । ନିଜର ସବୁ କାମ ଛାଡି କର୍ତ୍ତବ୍ୟକୁ ଆଗରେ ରଖୁଥିବାବେଳେ, ଠିକ୍ ସମୟରେ ଆସି ନିଜ କର୍ମରେ ଯୋଗ ଦେଉଥିଲେ । କହିବାକୁ ଗଲେ ପରିବାର ସଦସ୍ୟ ଭଳି ସମ୍ପର୍କ ସ୍ଥାପନ ହୋଇଯାଇଥିଲା ତାଙ୍କ ସହିତ । ହେଲେ ସରକାରଙ୍କ ନିୟମ କୁ କିଏ ବା ଖିଲାପ କରିବ । ଚାକିରି କରିଛ ମାନେ ତ ଅବସର ନବାକୁ ପଡିବ ।

ତେବେ ଗତକାଲି ଦେଖିବାକୁ ମିଳିଥିଲା ବାଲେଶ୍ଵର ସଦର ଏସଡିପିଓଙ୍କ ବଡପଣ । ସୂଚନା ମୁତାବକ, ଗତକାଲି ଏସଡିପିଓଙ୍କ ଗାଡି ଚଳାଉଥିବା ଡ୍ରାଇଭରଙ୍କର ଥିଲା ଚାକିରିର ଶେଷ ଦିନ । ଯାହାକୁ ସ୍ମରଣୀୟ କରିବା ପାଇଁ ଏସଡିପିଓ କରିଥିଲେ କିଛି ନିଆରା । ଗାଡିର ଡ୍ରାଇଭରଙ୍କ ସିଟ୍ ରେ ନିଜେ ବସିଥିଲେ ସଦର ଏସଡିପିଓ ଡ଼ା ଶଶାଙ୍କ ଶେଖର ବେଉରା ଆଉ ପାଖ ସିଟ୍ ରେ ବସିଥିଲେ ଡ୍ରାଇଭର । ଗତକାଲି ଥିଲା ସଦର ଏସଡିପିଓଙ୍କ ଡ୍ରାଇଭର ହାବିଲଦାର ସୁନୀଲ କୁମାର ପଣ୍ଡାଙ୍କ କାର୍ଯ୍ୟକାଳର ଶେଷ ଦିନ । ତେବେ ଶେଷ ଦିନରେ ନିଜ ଡ୍ରାଇଭରଙ୍କୁ ସସମ୍ମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ ସଦର ଏସଡିପିଓ ଡା ଶଶାଙ୍କ ଶେଖର ବେଉରା ।

ସବୁଠାରୁ ବଡ଼ କଥା ହେଲା ଯେଉଁ ଡ୍ରାଇଭର ତାଙ୍କୁ ଗାଡ଼ିରେ ବସେଇ ଘଟଣା ଦୁର୍ଘଟଣାସ୍ଥଳକୁ ଛୁଟେଇ ନେଉଥିଲେ, ତାଙ୍କୁ ସମ୍ମାନର ସହ ଗାଡ଼ିରେ ବସେଇ ଶେଷ ଦିନରେ ଘରେ ଛାଡ଼ି ଆସିଥିଲେ ଏସଡିପିଓ । ଆଉ ଏସଡିପିଓଙ୍କ ଏଭଳି ମହତ୍ ଉଦ୍ଦେଶ୍ୟ ପାଇଁ ଆଜି ବେଶ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.