Below header

ଆସିଲା ସମ୍ଭାବ୍ୟ ବାତ୍ୟା ସି-ତ୍ରଙ୍ଗର ଗତିପଥ, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ । କୁଆଡ଼େ ଯିବ ସି-ତ୍ରଙ୍ଗ ସେନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଜି ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।

୨୨ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଏକ ଡିପ୍ରେସନ୍‌ରେ ପରିଣତ ହେବା ସମ୍ଭାବନା ରହିଛି । ୨୩ ତାରିଖରେ ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହେବ । ଏହାପରେ ରିକର୍ଭ କରିବା ସମ୍ଭାବନା ରହିଛି । ଉତ୍ତର ଦିଗରେ ଗତି କରି ୨୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ଼ ସି-ତ୍ରଙ୍ଗ ।

ବାତ୍ୟା ରୂପ ଧାରଣ କରିବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହାର ତୀବ୍ରତା ଓ ଗତିପଥ ନେଇ କୌଣସି ସୂଚନା ଦେଇନି ଆଇଏମ୍‌ଡି । ଏହାର ପ୍ରଭାବରେ ଉପକୂଳବତ୍ତର୍ରୀ ଜିଲ୍ଲାରେ ହେବ ବର୍ଷା । ୨୩ ତାରିଖ ସକାଳ ପରେ ହାଲୁକା ବର୍ଷା ହୋଇପାରେ । ପୁରୀରୁ ବାଲେଶ୍ୱର ଯାଏ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

୨୪ ଓ ୨୫ରେ ବର୍ଷାର ପରିମାଣ ଅଧିକ ରହିବ । କିନ୍ତୁ ବିଶେଷ ପବନ ସମ୍ଭାବନା ନାହିଁ । ସ୍ଥଳଭାଗ ଛୁଇଁବା ବେଳକୁ ଅବପାତ ପ୍ରଭାବରେ ୨୨ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ୨୩ ତାରିଖରୁ ଓଡ଼ିଶା ଉପକୂଳର ଆଖପାଖ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.