ଜାମୀ ମସ୍‌ଜିଦରେ ଭୟଙ୍କର ଅଗ୍ନିକାଣ୍ଡ; ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ବିଶାଳକାୟ ଗମ୍ବୁଜ…

ଉତ୍ତର ଜାକର୍ତ୍ତାସ୍ଥିତ ଜାମୀ ମସ୍‌ଜିଦର ବିଶାଳ ଗମ୍ବୁଜରେ ବୁଧବାର ନିଆଁ ଲାଗି ଯାଇଥିଲା, ଯାହା ପରେ ଗମ୍ବୁଜଟି ତଳକୁ ଖସି ପଡ଼ିଥିଲା। ମସଜିଦ ଜାକର୍ତ୍ତା ଇସଲାମିକ କେନ୍ଦ୍ରର ଏକ ବିଲ୍ଡିଂ କମ୍ପ୍ଲେକ୍ସରେ ଅବସ୍ଥିତ, ଯାହାକି ଇସଲାମିକ ଅଧ୍ୟୟନ ଏବଂ ବିକାଶ ଉପରେ ଏକ ଥିଙ୍କ ଟ୍ୟାଙ୍କ। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ପୋଲିସ କହିଛି। ଘଟଣାର କାରଣ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି ଏବଂ ପୋଲିସ କହିଛି କି, ମସଜିଦର ମରାମତି କାମ କରିଥିବା ଠିକାଦାର କମ୍ପାନୀର ୪ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।

ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଫୁଟେଜରେ ଦେଖା ଯାଉଛି ଯେ ନିଆଁ ଲାଗିଥିବା ଜାମୀ ମସ୍‌ଜିଦର ଗମ୍ବୁଜଟି ଖସି ପଡ଼ୁଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଅଧିକାରୀମାନେ କହିଛନ୍ତି। ଇଣ୍ଡୋନେସିଆ ଗଣମାଧ୍ୟମ କହିଛି ଯେ ଏହି ଅଗ୍ନିକାଣ୍ଡ ସ୍ଥାନୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଘଟିଥିଲା। ଏହାର ତୁରନ୍ତ ପରେ ଅଗ୍ନିଶମ ବାହିନୀଙ୍କୁ ନିଆଁ ଲାଗିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳକୁ ଅତି କମ୍‌ରେ ୧୦ ଦମକଳ ଗାଡ଼ି ପଠାଯାଇଥିଲା।

ଭାଇରାଲ ହେଉଥିବା ଭିଡିଓ ଫୁଟେଜରେ ମସଜିଦ ଭୁଶୁଡ଼ିବାର ଠିକ୍‌ ପୂର୍ବରୁ ଗମ୍ବୁଜରୁ ଭୟଙ୍କର ଭାବେ ନିଆଁ ଓ ଧୂଆଁ ଉଠୁଥିବାର ଦେଖାଯାଉଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣା ପଡିନାହିଁ। ମିଡିଆ ରିପୋର୍ଟରୁ ଜଣାପଡିଛି କି, ଯେଉଁ ସମୟରେ ନିଆଁ ଲାଗିଥିଲା, ସେହି ସମୟରେ ଇସଲାମିକ ସେଣ୍ଟରର ମରାମତି କାମ ଚାଲିଥିଲା।

ମସଜିଦ ବ୍ୟତୀତ ଇସଲାମିକ୍ ସେଣ୍ଟର ପରିସରରେ ଶୈକ୍ଷିକ, ବାଣିଜ୍ୟିକ ଏବଂ ଅନୁସନ୍ଧାନ ସୁବିଧା ମଧ୍ୟ ରହିଛି। ରିପୋର୍ଟ ଅନୁସାରେ, ମସ୍‌ଜିଦର ଗମ୍ବୁଜରେ ଶେଷ ଥର ପ୍ରାୟ ୨୦ ବର୍ଷ ତଳେ ମରାମତି ସମୟରେ ନିଆଁ ଲାଗିଥିଲା। ୨୦୦୨ ମସିହା ଅକ୍ଟୋବରରେ ଘଟିଥିବା ଅଗ୍ନିକାଣ୍ଡରେ ନିଆଁକୁ ଆୟତ୍ତ କରିବାକୁ ୫ ଘଣ୍ଟା ସମୟ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.