Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲୋକାର୍ପିତ ହେଲା କଟକ ITATର ଅତ୍ୟାଧୁନିକ କାର୍ଯ୍ୟାଳୟ

କେନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବିଚାରପତିଗଣଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ, ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି।

ଆଇଟିଏଟି ନାମରେ ପରିଚିତ ଆୟକର ଆପିଲେଟ ଟ୍ରିବ୍ୟୁନାଲ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ସଂସ୍ଥା ଏବଂ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ଆଦେଶକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯାଇଥାଏ । ଝାଡ଼ଖଣ୍ଡ ଓ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ (ଅପସରପ୍ରାପ୍ତ) ପି. ପି. ଭଟ୍ଟ ବର୍ତ୍ତମାନ ଏହାର ମୁଖ୍ୟ ଅଛନ୍ତି । ପ୍ରଥମ ଟ୍ରିବ୍ୟୁନାଲ ଭାବେ ୧୯୪୧ ଜାନୁଆରୀ ୨୫ରେ ଆଇଟିଏଟି ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା “ମୂଳ ଟ୍ରିବ୍ୟୁନାଲ” ଭାବେ ପରିଚିତ । ପ୍ରଥମେ ଦିଲ୍ଲୀ, ବମ୍ବେ ଓ କଲିକତାରେ ତିନୋଟି ବେଞ୍ଚ ହୋଇଥିଲା । ବର୍ତ୍ତମାନ ଭାରତର ୩୦ ଟି ସହରରେ ଏହାର ୬୩ଟି ବେଞ୍ଚ ଓ ଦୁଇଟି ସର୍କିଟ ବେଞ୍ଚ ରହିଛି।

୧୯୭୦ ମେ ମାସରେ ଆଇଟିଏଟିର କଟକ ବେଞ୍ଚ ପ୍ରତିଷ୍ଠା କରାଯାଇ କାର୍ଯ୍ୟାରମ୍ଭ କରାଯାଇଥିଲା । କଟକ ବେଞ୍ଚର ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ । ଦୀର୍ଘ ୫୦ ବର୍ଷ ଧରି ଏହା ଭଡ଼ା ଘରେ ଚାଲିଥିଲା । ୨୦୧୫ ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା ୧.୬୦ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି । ମୋଟ ୧୯୩୮ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଇଁ ବାର କକ୍ଷ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.