Below header

ସଟଡାଉନ ସମୟରେ କଳାପଥର ଲୁଟ: ପୋଲିସ ପ୍ରଶାସନର ଅତର୍କିତ ଚଢ଼ାଉ, ୧୧ଟି ଗାଡି ସହ ମେସିନ ଜବତ

ଯାଜପୁର (କେନ୍ୟୁଜ) : ଆକ୍ସନ ମୋଡ଼ରେ ଯାଜପୁର ଜିଲ୍ଲା ପୋଲିସ ପ୍ରଶାସନ। ଧର୍ମଶାଳା ତହସିଲ ଅଧିନ ଆରୁହା କଳାପଥର ଖାଦାନରେ ଅତର୍କିତ ଚଢ଼ାଉ। ଆଜି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଜାରି ହୋଇଥିବା ବେଳେ ଏହାକୁ ଭ୍ରୁକ୍ଷେପ ନକରି ମାଫିଆ ମାନେ କଳାପଥର ଲୁଟ କରୁଥିଲେ। ଖବର ପାଇ ଯାଜପୁରରୋଡ଼ ଏସଡ଼ିପିଓ ଚିନ୍ମୟ କୁମାର ନାୟକଙ୍କ ନେତୃତ୍ୱରେ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ, ଜାରକା ବିଟ ହାଉସ ଅଧିକାରୀ ରାଜକିଶୋର ନାୟକ ଓ ପୋଲିସ କର୍ମଚାରୀ ସଦଳବଳ ଚଢ଼ାଉ କରିଥିଲେ।

 

ଏହି ସମୟରେ ବେଆଇନ କାରବାରରେ ଲିପ୍ତ ଥିବା ଗୋଟିଏ ହିଟାଚୀ ମେସିନ, ୯ଟି ଟ୍ରକ, ୨ଟି ଟ୍ରାକ୍ଟର ଜବତ କରିଥିଲେ। ଏଥିସହ ୧୦ରୁ୧୫ଜଣ କର୍ମଚାରୀ ଓ ଶ୍ରମିକଙ୍କୁ ପୋଲିସ ଧର୍ମଶାଳା ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ତହସିଲ ପକ୍ଷରୁ ଏହି ଖାଦାନ ନିଲାମ ଦିଆଯାଇନଥିବା ବେଳେ ପଥର ମାଫିଆ ମାନେ ଏହାର ସୁଯୋଗ ନେଇ କିଛି ଦିନ ହେବ କଳାପଥର ଲୁଟପାଟ କରି ମାଲାମାଲ ହେଉଥିଲେ।

ଏନେଇ ଅଭିଯୋଗ ହେବା ପରେ ଆଜି ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଯାଜପୁର ରୋଡ଼ ଏସଡ଼ିପିଓ ଚିନ୍ମୟ କୁମାର ନାୟକଙ୍କ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.