Below header

ବାମକୁ ମାଡ଼ି ଚାଲ, ଆମେ ଯାଉଛନ୍ତି ତ ?

ଆଜ୍ଞା ! ଏବେ ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚଳାଇବା ଏକ କଷ୍ଟକର ବ୍ୟାପାର ହୋଇପଡ଼ିଛି । ରାସ୍ତା ଏତେ ଗହଳି ହେଉଛି ଯେ ଆଗକୁ ବଢ଼ିବା ମୁସ୍କିଲ ହୋଇପଡୁଛି । ବିଶେଷ କରି ଅଫିସ୍‌ ଟାଇମ୍‌ ଆରମ୍ଭ ଓ ଶେଷ ହେବା ବେଳକୁ ଏହି ଭିଡ଼ ଅସମ୍ଭାଳ ହୋଇପଡ଼େ । ସନ୍ଧ୍ୟା ବେଳେ ତ ଆହୁରି କଷ୍ଟକର ସ୍ଥିତି । କାରଣ ସେତେବେଳେକୁ ଅନେକ ସ୍ଥାନରେ ରାସ୍ତା କଡ଼ରେ କାର୍‌ ସବୁ ପାର୍କିଂ ହୋଇ ସାରିଥିବ । ତେଣୁ ରାସ୍ତା ଓସାର କମିଯାଇ ଟ୍ରାଫିକ୍‌ ପୂରା ମନ୍ଥର ହୋଇଯାଏ । କେବଳ ଶୁଭେ ଗାଡ଼ିଗୁଡ଼ିକର ପେଁପାଁ ଶବ୍ଦ ।
ସମସ୍ତେ ଆଗକୁ ଯିବାକୁ ପ୍ରତିଯୋଗିତା ସିନା କରନ୍ତି ହେଲେ ଯାଇ ପାରନ୍ତି ନାହିଁ ।

ତେବେ ଦିନ ହେଉ କି ରାତି ଆଉ ଗୋଟିଏ ସମସ୍ୟା ପ୍ରତି ବିଭିନ୍ନ ଟ୍ରାଫିକ୍‌ ଛକରେ ଟ୍ରାଫିକ୍‌ କର୍ମଚାରୀମାନେ ବି ନଜର ଦେଉ ନାହାନ୍ତି । ତାହା ହେଉଛି ବାମ ପଟ । ପ୍ରତ୍ୟେକ ଟ୍ରାଫିକ୍‌ ଛକରେ ବାମ ପଟକୁ ଫାଙ୍କା ରଖିବା ଜରୁରୀ । କାରଣ ସେହିପଟେ ଯାଉଥିବା ଲୋକେ ସ୍ୱଚ୍ଛନ୍ଦରେ ଯାଇ ପାରିବେ । ସେଥିରେ ଟ୍ରାଫିକ୍‌ କଟକଣା କିଛି ନଥାଏ । ହେଲେ ଟିକେ ଭଲ କରି ନଜର କରନ୍ତୁ ତ, ଦେଖିବେ ଯଦି ରେଡ୍‌ ଲାଇଟ୍‌ ଜଳି ସେହି ପାର୍ଶ୍ୱର ମୁଖ୍ୟ ରାସ୍ତା ବନ୍ଦ ରହିଛି ତେବେ ଆମ ଗାଡ଼ି ଚାଳକମାନେ ବାମ ପଟଟିକୁ ମଧ୍ୟ ମାଡ଼ି ବସନ୍ତି । ପଛରୁ କେହି ଯଦି ବାମ ପଟେ ଯିବା ପାଇଁ ଆସୁଥିବେ ତେବେ କେବଳ ହର୍ଣ୍ଣ ମାରି ଅପେକ୍ଷା କରିବେ ନଚେତ ନାଚାର ହୋଇ ସବୁଜ ଲାଇଟ୍‌ ଜଳିଲା ପର୍ଯ୍ୟନ୍ତ ଅଟକି ରହିବେ ।

ଭୁବନେଶ୍ୱରରେ ସବୁଠାରୁ ଅଧିକ ଟ୍ରାଫିକ୍‌ ଏବଂ ଏହାକୁ ଶୃଙ୍ଖଳିତ କରିବା ଲାଗି ସର୍ବରାଧିକ ଟ୍ରାଫିକ୍‌ କର୍ମଚାରୀ ବି ରହିଛନ୍ତି । ହେଲେ ସେ ନାଲକୋ ଛକ ହେଉ କି ଏଜି ଛକ, ପାଓ୍ଵାର ହାଉସ୍‌ ଛକ ହେଉ କି କଳ୍ପନା ଛକ ସବୁଠାରେ ସେହି ବାମପଟ ସମସ୍ୟା । ତେଣୁ ଅନୁରୋଧ କରୁଛୁ ଜନସାଧାରଣଙ୍କୁ ସେମାନେ ଅନ୍ୟମାନଙ୍କ ଅସୁବିଧା ପ୍ରତି ଟିକେ ସଜାଗ ରହି ବାମ ପଟଟି ଛାଡ଼ି ଦେବା ଦରକାର । ସେହିପରି ଟ୍ରାଫିକ୍‌ କର୍ମଚାରୀ ମଧ୍ୟ ଏ ଦିଗରେ ନିଜେ ସଚେତନ ହୋଇ ଲୋକଙ୍କୁ ସଚେତନ କରିବା ଜରୁରୀ । ନଚେତ ସେହି ସ୍ଥାନରେ ଅଯଥା ଗହଳି ହେଉଛି ଏବଂ ଲୋକେ ମଧ୍ୟ ହଇରାଣ ହେଉଛନ୍ତି । ଥରେ ଚିନ୍ତା କରନ୍ତୁ ତ, ଆପଣ ସେଇଆ କରୁ ନାହାନ୍ତି ତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.