ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ବଡ଼ ଆକ୍ରମଣ, ରତ୍ନବେଦୀରୁ ୧୪୪ ବର୍ଷ ଦୂରେଇ ରହିଥିଲେ କାଳିଆ ସାଆନ୍ତ

ପାଖେଇ ଆସୁଛି ଘୋଷଯାତ୍ରା । ଆଉ କିଛି ଦିନ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗାକୁ ଦର୍ଶନ କରିବ ଜଗତ । ତେବେ ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ଚମତ୍କାର ବିଷୟରେ ତ ସମସ୍ତେ ଜାଣନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ଏହି ମନ୍ଦିର ଉପରେ ଅନେକ ଥର ବଡ଼ ବଡ଼ ହମଲା ହୋଇଛି । ଆଉ ପ୍ରତି ଆକ୍ରମଣ ପରେ ବି ମନ୍ଦିରର ଚମତ୍କାର ଉପରେ କୌଣସି ବି ପ୍ରଭାବ ପଡିନି। ମନ୍ଦିରର ଇତିହାସକୁ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତ ଯେ ଆକ୍ରମଣ ଯୋଗୁଁ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମନ୍ଦିରଠୁ ୧୪୪ ବର୍ଷ ଯାଏଁ ଦୂରରେ ରହିବାକୁ ପଡିଥିଲା । ଆସନ୍ତୁ ଜାଣିବା ୧୭ଟି ପ୍ରମୁଖ ଆକ୍ରମଣ ବିଷୟରେ ।

ପ୍ରଥମ ଆକ୍ରମଣ :
ଜଗନ୍ନାଥ ମନ୍ଦିରକୁ ନଷ୍ଟ କରିବା ପାଇଁ ପ୍ରଥମ ଆକ୍ରମଣ ୧୩୪୦ରେ ବଙ୍ଗାଳର ସୁଲତାନ ଇଲିୟାସ୍ ଶାହ କରିଥିଲେ । ସେ ସମୟରେ ଓଡିଶାର ନାଁ ଥିଲା ଉତ୍କଳ । ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ସୁଲତାନ ଇଲିୟାସ୍ ଶାହଙ୍କ ସହ ଯୁଦ୍ଧ କରିଥିଲେ ଉତ୍କଳର ନରେଶ ତୃତୀୟ ନରସିଂହ ଦେବ । ମନ୍ଦିର ପରିସରରେ ରକ୍ତର ନଦୀ ବୁହାଇଥିଲେ ସୁଲତାନ ଇଲିୟାସଙ୍କ ସୈନିକ । ତେବେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନଷ୍ଟ କରିବାରେ ଅସଫଳ ହୋଇଥିଲେ ସୁଲତାନ୍ ଇଲିୟାସ୍ କାରଣ ରାଜା ତୃତୀୟ ନରସିଂହ ଦେବଙ୍କ ଆଦେଶ କ୍ରମେ ମୂର୍ତ୍ତି ଗୁଡିକୁ ଲୁଚାଇ ଦିଆଯାଇଥିଲା ।

ଦ୍ବିତୀୟ ଆକ୍ରମଣ :
୧୩୬୦ରେ ଜଗନ୍ନାଥ ମନ୍ଦିର ଉପରେ ଦ୍ବିତୀୟ ଆକ୍ରମଣ କରିଥିଲେ ଦିଲ୍ଲୀର ସୁଲତାନ ଫିରୋଜ ଶାହ ତୁଗଲକ୍।

ତୃତୀୟ ଆକ୍ରମଣ :
ମନ୍ଦିରରେ ତୃତୀୟ ଆକ୍ରମଣ ହୋଇଥିଲା ୧୫୦୯ରେ । ଆଉ ଆକ୍ରମଣ କରିଥିଲେ ବଙ୍ଗଳାର ସୁଲତାନ୍ ଅଲ୍ଲାଉଦ୍ଦିନ ହୁସୈନଙ୍କ ସେନାପତି ଇସ୍ମାଇଲ୍ ଗାଜୀ । ସେତେବେଳେ ଉତ୍କଳର ନରେଶ ଥିଲେ ସୂର୍ଯ୍ୟବଂଶୀ ପ୍ରତାପ ରୁଦ୍ରଦେବ । ଆକ୍ରମଣର ନାଁ ଶୁଣି ପୂଜକମାନେ ଜଗନ୍ନାଥଙ୍କ ମୂର୍ତ୍ତିକୁ ବଙ୍ଗଳା ଖାଡିରେ ସ୍ଥିତ ଚିଲକା ଲେକ୍ ନାମକ ଦୀପରେ ଲୁଚାଇ ଦେଇଥିଲେ । ତେବେ ପ୍ରତାପ ରୁଦ୍ରଦେବ ଶତ୍ରୁକୁ ହୁଗୁଳୀଠାରେ ହରାଇ ଲୁଚି ପଳାଇଯିବା ପାଇଁ ବାଧ୍ୟ କରିଥିଲେ ।

ଚତୁର୍ଥ ଆକ୍ରମଣ :
୧୫୬୮ରେ ହୋଇଥିଲା ଜଗନ୍ନାଥ ମନ୍ଦିର ଉପରେ ସବୁଠାରୁ ବଡ଼ ଆକ୍ରମଣ । ଆଉ ଏହି ଆକ୍ରମଣ କରିଥିଲା କଳା ପାହାଡ । ଏଥର ମଧ୍ୟ ପୂଜକ ମାନେ ମୂର୍ତ୍ତିକୁ ଲୁଚାଇ ଦେଇଥିଲେ । ହେଲେ ମନ୍ଦିରର କିଛି ମୂର୍ତ୍ତିକୁ ପୋଡି ନଷ୍ଟ କରିଦେଇଲା କଳା ପାହାଡ । ଏହି ଆକ୍ରମଣରେ ଜଗନ୍ନାଥ ମନ୍ଦିରର କଳାକୃତିକୁ କ୍ଷତି ପହଂଚିଥିଲା । ତେବେ ଏହି ବର୍ଷ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଥିଲା । କାରଣ ଏହି ଯୁଦ୍ଧ ପରେ ଇସଲାମିକ୍ ଶାସନ ଅଧୀନ ହୋଇଯାଇଥିଲା ଉତ୍କଳ ।

ପଂଚମ ଆକ୍ରମଣ :
ଏହା ପରେ ୧୫୯୨ରେ ଜଗନ୍ନାଥ ମନ୍ଦିର ଉପରେ ହୋଇଥିଲା ପଂଚମ ଆକ୍ରମଣ । ଆଉ ଏହି ଆକ୍ରମଣ କରିଥିଲେ ଓଡିଶାର ସୁଲତାନ ଇଶା ଙ୍କ ପୁଅ ଉସମାନ ଏବଂ କୁଥୁ ଖାନଙ୍କ ପୁଅ ସୁଲେମାନ୍ । ନୀରିହ ଲୋକଙ୍କ ରକ୍ତରେ ଖେଳିଥିଲେ ହୋଲି । ଲୋକଙ୍କୁ ନିଷ୍ଠୁର ଭାବେ ହତ୍ୟା କରିବା ସହ ମୂର୍ତ୍ତିକୁ କରିଥିଲେ ଅପବିତ୍ର ଏବଂ ଲୁଟିନେଇଥିଲେ ମନ୍ଦିରର ସମ୍ପତ୍ତି ।

ଷଷ୍ଠ ଆକ୍ରମଣ :
୧୬୦୧ରେ ବଙ୍ଗଳାର ନବାବ ଇସଲାମ ଖାନଙ୍କ ସୁଲତାନ ମିର୍ଜା ଖୁରେମ ଜଗନ୍ନାଥଙ୍କ ଉପରେ କରିଥିଲେ ଷଷ୍ଠ ଆକ୍ରମଣ । ମନ୍ଦିରର ପୂଜାରୀ ମାନେ ଜଗନ୍ନାଥଙ୍କ ମୂର୍ତ୍ତିକୁ ଭାର୍ଗବୀ ନଦୀ ରାସ୍ତା ଦେଇ ନୌକା ପାର କରି ପୁରୀ ନିକଟରେ ଥିବା ଏକ ଗାଁ କପିଳେଶ୍ବରରେ ଲୁଚାଇ ଦେଇଥିଲେ ।

ସପ୍ତମ ଆକ୍ରମଣ :
ସପ୍ତମ ଥର ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ ଓଡିଶାର ସୁବେଦାର ହାସିମ ଖାନ୍ । ତେବେ ଆକ୍ରମଣ ପୂର୍ବରୁ ମୂର୍ତ୍ତିକୁ ଖୋର୍ଦ୍ଧାର ଗୋପାଳ ମନ୍ଦିରରେ ଲୁଚାଇ ଦିଆଯାଇଥିଲା । ଏହି ସ୍ଥାନଟି ମନ୍ଦିରଠୁ ପ୍ରାୟ ୫୦ କିଲୋମିଟର ଦୂର । ତେବେ ଏହି ଆକ୍ରମଣରେ ମନ୍ଦିରର ଅନେକ କ୍ଷତି ହୋଇଥିଲା ।

ଅଷ୍ଟମ ଆକ୍ରମଣ :
ମନ୍ଦିରରେ ଅଷ୍ଟମ ଆକ୍ରମଣ କରିଥିଲା ହାସିମ୍ ଖାନ ସେନାରେ କାମ କରୁଥିବା ଜଣେ ହିନ୍ଦୁ ଜାଗିରଦାର୍ । ତେବେ ସେ ସମୟରେ ମନ୍ଦିରରେ ନଥିଲା ମୂର୍ତ୍ତି । ଧନ ଲୁଟି ମନ୍ଦିରକୁ ଏକ ଦୁର୍ଗରେ ପରିଣତ କରିଦିଆଯାଇଥିଲା ।

ନମ୍ବମ ଆକ୍ରମଣ :
ମନ୍ଦିରରେ ନମ୍ବମ ଆକ୍ରମଣ ହୋଇଥିଲା ୧୬୧୧ ରେ । ଏହି ଆକ୍ରମଣ କରିଥିଲା ମୁଗଲ ବାଦଶାହ ଅକବରଙ୍କ ନବରତ୍ନରେ ସାମିଲ୍ ଥିବା ରାଜା ଟୋଡରମଲଙ୍କ ପୁଅ ରାଜା କଲ୍ୟାଣମଲ । ଏଥର ପୂଜାରୀ ମାନେ ମୂର୍ତ୍ତିକୁ ବଙ୍ଗାଳର ଖାଡିର ଏକ ଦ୍ବୀପରେ ଲୁଚାଇ ଦେଇଥିଲେ ।

ଦଶମ ଆକ୍ରମଣ :
୧୦ ମ ଆକ୍ରମଣ ବି କରିଥିଲା କଲ୍ୟାଣମଲ । ଏଥର ମନ୍ଦିରକୁ ସମ୍ପୂର୍ଣ୍ଣ ଭାବରେ ଲୁଟି ନିଆଯାଇଥିଲା ।

୧୧ ତମ ଆକ୍ରମଣ :
୧୬୧୭ରେ ମନ୍ଦିର ଉପରେ ଏଥର ଆକ୍ରମଣ କରିଥିଲା ଦିଲ୍ଲୀର ବାଦଶାହା ଜାହାଙ୍ଗୀରଙ୍କ ସେନାପତି ମୁକରମ ଖାନ୍ । ସେ ସମୟରେ ମନ୍ଦିରର ମୂର୍ତ୍ତିକୁ ଗୋବାପଦାର ନାମକ ଏକ ସ୍ଥାନରେ ଲୁଚାଇ ଦିଆଯାଇଥିଲା ।

୧୨ ତମ ଆକ୍ରମଣ :
ମନ୍ଦିରରେ ୧୨ ତମ ଆକ୍ରମଣ ୧୬୨୧ ରେ କରିଥିଲା ଓଡିଶାର ମୁଗଲ ଗଭର୍ଣ୍ଣର ମିର୍ଜା ଅହମ୍ମଦ ବେଗ୍ ।

୧୩ ତମ ଆକ୍ରମଣ :
୧୬୪୧ରେ ମନ୍ଦିରରେ ୧୩ ତମ ଆକ୍ରମଣ କରିଥିଲା ଓଡିଶାର ମୁଗଲ ଗଭର୍ଣ୍ଣର ମିର୍ଜା ମକ୍କି ।

୧୪ ତମ ଆକ୍ରମଣ :
ଏଥର ମଧ୍ୟ ଆକ୍ରମଣ ମିର୍ଜା ମକ୍କି ହିଁ କରିଥିଲା ।

୧୫ ତମ ଆକ୍ରମଣ :
ମନ୍ଦିରରେ ଏଥର ଆକ୍ରମଣ କରିଥିଲା ଆମୀର ଫତେହ ଖାନ୍ । ସେ ମନ୍ଦିରର ରତ୍ନଭଣ୍ଡାରରେ ଥିବା ହୀରା, ମୋତି ଏବଂ ସୁନା ଲୁଟି ନେଇଥିଲା ।

୧୬ ତମ ଆକ୍ରମଣ :
ମନ୍ଦିର ଉପରେ ଏଥର ଆକ୍ରମଣ ମୋଗଲ ବାଦଶାହା ଔରଙ୍ଗଜେବଙ୍କ ଆଦେଶରେ ୧୬୯୨ ରେ ହୋଇଥିଲା । ମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ବିଧ୍ବସ୍ତ କରିବାକୁ ଆଦେଶ ଦେଇଥିଲା ଔରଙ୍ଗଜେବ । ସେ ସମୟରେ ଓଡିଶାର ନବାବ ଇକରମ୍ ଖାନ୍ ସମ୍ପୂର୍ଣ୍ଣ ରୂପେ ମୋଗଲଙ୍କ ଅଧିନ ଥିଲେ । ଇକରମ୍ ଖାନ୍ ଆକ୍ରମଣ କରି ଭଗବାନଙ୍କ ସୂନାର ମୁକୁଟ ଲୁଟି ନେଇଥିଲେ ।

୧୭ ତମ ଆକ୍ରମଣ :
ମନ୍ଦିର ଉପରେ ୧୭ ତଥା ଶେଷ ଆକ୍ରମଣ ହୋଇଥିଲା ୧୬୯୯ରେ । ଯାହାକୁ କରିଥିଲେ ମହମ୍ମଦ ତକି ଖାନ୍ । ୧୭୨୭ ରୁ ୧୭୩୪ ଯାଏଁ ତକି ଖାନ୍ ଓଡିଶାର ନାୟାବ ସୁବେଦାର୍ ଥିଲା । ତେବେ ଏଥର ମଧ୍ୟ ମୂର୍ତ୍ତି ଗୁଡିକୁ ଲୁଚା ଯାଇଥିଲା । କିଛି ସମୟ ପାଇଁ ମୂର୍ତ୍ତିକୁ ହାଇଦ୍ରାବାଦରେ ମଧ୍ୟ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.