Below header

ଗ୍ରୀଷ୍ମର ତାତିରେ କୃଷ୍ଣଚୁଡାର ହସ, ଟୁକଟୁକ ସାଧବ ବୋହୁଟେ ପରି ସମସ୍ତଙ୍କୁ କରୁଛି ବିମୋହିତ

କଣ୍ଟାମାଳ(କେନ୍ୟୁଜ): କୃଷ୍ଣଚୂଡ଼ାର ନାଲି ରଙ୍ଗରେ ବେଶ୍ ଶୋଭା ପାଉଛି ପ୍ରକୃତି। ଗ୍ରୀଷ୍ମର ତାତି ସହିତ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଝଟକୁଛି କୃଷ୍ଣଚୂଡ଼ା। କୃଷ୍ଣଚୂଡ଼ାର ବାସ ନଥିଲେ ମଧ୍ୟ ଏହାର ରଙ୍ଗରେ ରଙ୍ଗୀନ ହୋଇଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଘାଟ ଓ ଜାତୀୟ ରାଜପଥ। ଯାହା କବି ଓ ପ୍ରକୃତ ପ୍ରେମୀଙ୍କୁ କରିଛି ଆନମନା।

ପ୍ରଚଣ୍ଡ ଖରାରେ ତ୍ରାହି ତ୍ରାହି ଭଜୁଛି ସାରା ଜଗତ,କିନ୍ତୁ ସେ ହସୁଛି। ଖରାରେ ତାତିରେ ଝାଉଁଳି ପଡିଥିବା ପତ୍ର ମାନଙ୍କୁ କହୁଛି ଦେଖ ମୁଁ ସୂର୍ଯ୍ୟଙ୍କ ଆଖିରେ ଆଖି ମିଶାଇଛି, ତୁମେ ଯାହାର ଉତାପରେ ଝାଉଁଳି ପଡିଛି ମୁଁ ତାକୁ ପ୍ରେମରେ ଚାହିଁଛି। ମୁଣ୍ଡଫଟା ଖରା ହେଲେ ସେ ଆକାଶକୁ ଆଁ କରି ଦେଖେ। ଅନେକ ଯନ୍ତ୍ରଣାକୁ ଛାତିରେ ଚାପି ରଖି ଜୀବନକୁ ସୁଖର ଅର୍ଥ ବୁଝାଏ। ଅନ୍ୟ ଫୁଲ ଭଳି ତା ଭାଗ୍ୟରେ ଦିଅଁ ଦେଉଳ ନାହିଁ। ତାକୁ କେହି ମନ୍ଦିରକୁ ନିଅନ୍ତି ନାହିଁ । ତାକୁ କେହି ଈଶ୍ୱରଙ୍କ ପାଖକୁ ନିଅନ୍ତି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ତା ନାଁରେ ଈଶ୍ୱରଙ୍କ ନାଁ ଯୋଡି ଦିଆଯାଇଛି। ଆମେ ଯାହା କଥା କହୁଛୁ, ଦୁନିଆ ତାକୁ କୃଷ୍ଣଚୂଡ଼ା ନାଁରେ ଜାଣିଛି।

flower

ତପ୍ତ ବୈଶାଖରେ ତାର ଜନ୍ମ। ସେଇ ବୈଶାଖରେ ସେ ତରୁଣ ହୁଏ। ପ୍ରେମ କରେ ନିଦାଘକୁ।  ଗାଁ ରାସ୍ତାରୁ ସହରର ଚିକଚିକ ରାଜପଥ ତା ଅକ୍ତିଆରରେ ଥାଏ ଏହି ପ୍ରଚଣ୍ଡ ଗ୍ରୀଷ୍ମରେ। ତାର ରକ୍ତିମ ଆଭା ବିମୋହିତ କରେ ସମସ୍ତଙ୍କୁ ସେତେ ଯେମିତି ତୃଷ୍ଣା ମେଣ୍ଟି ଯାଉଛି। ଏହି କୃଷ୍ଣଚୂଡ଼ାକୁ ନେଇ କାହାର କେତେ କଳ୍ପନା। କବିର ମନ ଆନମନା। କୃଷ୍ଣଚୂଡ଼ା ଆହୁରି ଲାଲ ଟହ ଟହ ହୋଇ ବିଛାଡି ଦେଉଛି ତାର ସୌନ୍ଦର୍ଯ୍ୟ।। ତା ରୂପରେ ବିମୋହିତ କରି ଦେଉଛି ଏ ଜଗତକୁ। ଦିନ ବଢିବା ସହ ଖରାରେ ଖିଲି ଖିଲି ହସୁଛି ସେ। ପ୍ରଚଣ୍ଡ ଖରାରେ ସେ ଆସିଛି ନାଲି ଟୁକଟୁକ ସାଧବ ବୋହୁଟେ ପରି। କବିର ମନରେ ଫୁଟାଉଛି କବିତାର ତାରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.