ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ୍ୟୁ ଅଭିଯୋଗ ମାମଲା, ୪ ମାସରେ ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ  ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ୍ୟୁ ଅଭିଯୋଗ ମାମଲାର ହାଇକୋର୍ଟ ଶୁଣାଣି କରି ଚାରି ମାସ ମଧ୍ୟରେ ଏ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବର ଶବର ଓ ଅନ୍ୟମାନଙ୍କ ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ପ୍ରସୂତି ମୃତ୍ୟୁ ଘଟଣାକୁ ଏଡାଯିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ପ୍ରସଂଗରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ନୀତି ନିର୍ଦ୍ଧା‌ରଣ ପାଇଁ ହାଇକୋର୍ଟ କହିଛନ୍ତି। କ୍ଷତିପୂରଣ ସହିତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଉତ୍ତରଦାୟିତ୍ୱ ପ୍ରସଂଗରେ ସ୍ବତନ୍ତ୍ର ନୀତି ରାଜ୍ୟ ମହିଳା କମିସନ ଓ ଓଡିଶା ମାନବାଧିକାର କମିସନଙ୍କ ସହ ବିଚାରବିମର୍ଶ କରିବା ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି। ଆବେଦନକାରୀ ସମ୍ବର ଶବରଙ୍କୁ ଆସନ୍ତା ୬ସପ୍ତାହ ମଧ୍ୟରେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ମଧ୍ୟରୁ ସାଢେ ୩ଲକ୍ଷ ଟଙ୍କା ଲେଖାଁଏ ମୃତ ପ୍ରସୁତୀଙ୍କ ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଓ ୩ଲକ୍ଷ ଟଙ୍କା ସ୍ବାମୀଙ୍କ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ରହିବ।

 

ଅନ୍ୟପଟେ ଚିକିତ୍ସା ଅବହେଳାରୁ ପ୍ରସବ ଜନିତ ମାତୃ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ୬ ମାସ ଭିତରେ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆବେଦନକାରୀଙ୍କ ବୋହୂକୁ ପ୍ରସବ ପାଇଁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା।