Below header

ସାବଧାନ ! ଆପଣ ବି ହୋଇପାରନ୍ତି ଏମିତି ଠକାମୀର ଶିକାର, ସଫା ଆଳରେ ଲୁଟି ନେଲେ ୨ ଲକ୍ଷର ସୁନା ଅଳଙ୍କାର

ଯାଜପୁର(କେନ୍ୟୁଜ୍‌) : ଗହଣା ସଫେଇ କରିବା ଆଳରେ ଦୁଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟନେଲେ ଦୁର୍ବୃତ୍ତ । ଏମିତି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗ୍ରାମରୁ । ଗ୍ରାମର ରବୀନ୍ଦ୍ର ଶାନ୍ତିଙ୍କ ଘରୁ ସୁନା ଅଳଙ୍କାର ଲୁଟ ହୋଇଥିବା ନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ରବୀନ୍ଦ୍ରଙ୍କ ଘରେ ପହଂଚି ପିତଳ ବାସନ ସଫା କରିଦେବୁ ବୋଲି କହିଥିଲେ। ରବୀନ୍ଦ୍ରଙ୍କ ପତ୍ନୀ ଉର୍ମିଳା ଶାନ୍ତି ତାଙ୍କୁ ଘରେ ଥିବା ପିତଳ ବାସନ ବଢ଼େଇ ଦେଇଥିଲେ। ପରେ ରୁପା ଅଳଙ୍କାର ସଫା କରିଥିଲେ। ପୁଣି ସେମାନେ ସୁନା ଅଳଙ୍କାର ସଫା କରିଦେବେ ବୋଲି କହିଥିଲେ।

ମହିଳା ଜଣକ ଘରେ ରଖିଥିବା ପୁରୁଣା ସୁନା ଚେନ, କାନଫୁଲ, ମୁଦି ଆଦି ଅଳଙ୍କାର ଦେଇଥିଲେ। ଦୁର୍ବୁତ୍ତମାନେ ଏକ ବାଲଟିରେ ସୁନା ଅଳଙ୍କାର ସହ ପାଉଡର ମିଶାଇ ରଖିଥିଲେ। ଅଧଘଣ୍ଟା ପରେ ବାଲଟିରୁ ସୁନା ଅଳଙ୍କାର ବାହାର କରିବାକୁ କହି ସେଠାରୁ ଖସି ଯାଇଥିଲେ। ତେବେ ଅଧ ଘଣ୍ଟା ପରେ ଉର୍ମିଳା ଦେଖନ୍ତି ତ ବାଲଟିରେ ସୁନା ନାହିଁ କନା ଭିତରେ ତିନୋଟି ଗୋଡି ପୁଡିଆ ପଡିଛି।

ଏହାକୁ ଦେଖି ପରିବାର ମଧ୍ୟରେ ଭାଲେଣି ପଡିଯାଇଥିଲା। କୌଶଳ କ୍ରମେ ଦୁର୍ବୃତ୍ତମାନେ ପାଖାପାଖି ଦୁଇ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେବାକୁ ସକ୍ଷମ ହୋଇଥିଲେ। ଏହା ପରେ ଖୋଜାଖୋଜି କରିଥଲେ ହେଁ ସେମାନଙ୍କ ପତ୍ତା ମିଳିନଥିଲା। ଏ ନେଇ ରବୀନ୍ଦ୍ରଙ୍କ ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.