Below header

ଚୋରଙ୍କ କବଜାରେ କ୍ୟାପିଟାଲ ହସ୍ପିଟାଲ୍, ପୋଲିସ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ମୋବାଇଲ ସହ ଦାମୀ ଜିନିଷ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀର କ୍ୟାପିଟାଲ ହସ୍ପିଟାଲ କେବଳ ଚିକିତ୍ସାଳୟ ହୋଇ ରହି ନାହିଁ ବରଂ ଚୋରଙ୍କ ଆଡ୍ଡା ସ୍ଥଳ ପାଲଟିଛି। ରାତି ହେଲେ ବଢୁଛି ଏମାନଙ୍କ ଉତ୍ପାତ। କାହାଠାରୁ ମୋବାଇଲ ତ ଆଉ କାହାଠାରୁ ଦାମୀ ଜିନିଷ ଇତ୍ୟାଦି ଚୋରି କରି ନେଉଛନ୍ତି। ନିୟମିତ ଭାବେ ଘଟି ଚାଲୁଛି ଏଭଳି ଘଟଣା। ସରକାରୀ ଡାକ୍ତରଖାନା ହୋଇଥିବାରୁ ଲୋକ ଯିବା ଆସିବାର ନାହିଁ କୌଣସି କଟକଣା । ଯାହା ଫଳରେ ଚୋର ମାନେ ରୋଗୀ ପରିଚୟ ନେଇ ଡାକ୍ତରଖାନାର ୱାର୍ଡ ମାନଙ୍କରେ ପ୍ରବେଶ କରୁଛନ୍ତି ଆଉ ସୁଯୋଗ ଦେଖି ଲୁଟିନେଉଛନ୍ତି। ହସ୍ପିଟାଲରେ କିଛି ଜାଗାରେ ସିସିଟିଭିର ବ୍ୟବସ୍ଥା ଅଛି କିନ୍ତୁ ତାହା କାର୍ଯ୍ୟକ୍ଷମ ହେଉନାହିଁ ଯାହା ଚୋର ମାନଙ୍କୁ ସୁହାଉଛି। ଏମିତି କି ପୋଲିସ କର୍ମଚାରୀଙ୍କ ମୋବାଇଲକୁ ଲୁଟିବାରେ ବି ପଛଘୁଞ୍ଚା ଦେଇ ନାହାଁନ୍ତି ଏମାନେ।

cctv

ଗତକାଲି ଏଭଳି ଏକ ଘଟଣା ଘଟିଛି କ୍ୟାପିଟାଲ ହସ୍ପିଟାଲରେ । କମିଶନରେଟ୍ ପୋଲିସର ଜଣେ କର୍ତ୍ତବ୍ୟରତ କନେଷ୍ଟବଳ ନିଜ ୬ ମାସର ଶିଶୁର ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ କନେଷ୍ଟବଳ ଓ ତାଙ୍କ ସ୍ତ୍ରୀଙ୍କର ଟିକେ ଆଖି ଲାଗି ଯାଇଥିବାବେଳେ ଦୁଇ ଜଣ ଯୁବକ ଶିଶୁ ୱାର୍ଡରେ ପଶି କନେଷ୍ଟବଳ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ ଆଉ ତାଙ୍କ ଶିଶୁର ଏକ ରୂପା ଖଡୁକୁ ନେଇ ଚମ୍ପଟ ମରିଥିଲେ। ନିଦ ଭାଙ୍ଗି ଦେଖିବା ବେଳକୁ ପାଖରେ ଆଉ ମୋବାଇଲ ନଥିଲା। କିନ୍ତୁ ଚୋରର ଗତିବିଧି ଉପରେ ପଡୋଶୀ ବେଡ଼ରେ ଚିକିତ୍ସିତ ହେଉଥିବା ଏକ ୮ ବର୍ଷର ଶିଶୁ ଦେଖିଥିଲା କିନ୍ତୁ ଶରୀର ଅସୁସ୍ଥ କାରଣରୁ ଆଉ ପାଟି ଫିଟେଇ କାହାକୁ ଡାକି ପାରିନଥିଲା। ଏହି ଘଟଣାକୁ ନେଇ ଶିଶୁ ବିଭାଗରେ ଆଜି ସକାଳୁ ଚର୍ଚ୍ଚା ଜୋର ଧରିଛି। ସମସ୍ତେ ଚୋର ଗଲାପରେ ସତର୍କ ହୋଇ ପଡ଼ିଛନ୍ତି।

hospital

ତେବେ ପ୍ରଶ୍ନ ଉଠୁଛି ସେହି ଚୋରକୁ ବି କେମିତି ମାନବିକତା ଧିକାର କଲାନି, ବିପଦରେ ପଡିଥିବା ଲୋକଙ୍କ ମୋବାଇଲ ଚୋରି କରିବାକୁ? ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ସବୁ ଘଟଣା ବିଷୟରେ ଅବଗତ ଥାଇ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ସିକ୍ୟୁରିଟି ଅଛନ୍ତି କିନ୍ତୁ ସେମାନେ ବି ସଠିକ ଭାବେ ଦାୟିତ୍ଵ ତୁଳାଉ ନଥିବା ଅଭିଯୋଗ ହୋଇଛି। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କେତେ ତତ୍ପର ହେଉଛନ୍ତି ଏହି ଚୋରି ରୋକିବାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.