Below header

ତାଳଚେରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ନୂଆ ତାପଜ ୟୁନିଟ ପ୍ରତିଷ୍ଠା କାର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ):  ତାଳଚେରରେ ନୂଆ ତାପଜ ୟୁନିଟ ପ୍ରତିଷ୍ଠା କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏହା ସହ ପୁରୁଣା ୟୁନିଟ ଚାଲୁରଖିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିବା ପରେ ଆଜି ରାଜ୍ୟ ସରକାର ଓ ଏନଟିପିସି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବା ଓ ନୂଆ ୟୁନିଟ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ନୂଆ ୟୁନିଟର ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତର ବଣ୍ଟନ ଓ କାରବାର ସମ୍ବନ୍ଧରେ ଗ୍ରୀଡକୋ ଓ ଏନଟିପିସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ଖୁବ ଶୀଘ୍ର ଜଣାଇଦିଆଯିବ ବୋଲି ଏନଟିପିସି ଅଧ୍ୟକ୍ଷ ଗୁରୁଦୀପ ସିଂ କହ6ିଛନ୍ତି।

ସେପଟେ ଟିଟିପିଏସ ପ୍ଲାଣ୍ଟସହ ଅନେକ ଲୋକଙ୍କ ଜୀବିକା ଜ଼ଡିତ ଥିବାରୁ ନୂଆ ୟୁନିଟ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟ ଚଳାଇ ରଖିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। କିଛି ପୁଞ୍ଜି ବିନିଯୋଗ କରି ପ୍ଲାଣ୍ଟର ନବୀକରଣ ସହ ଏହାକୁ ପୁନଃ ଚଳାଇବା ଉଚିତ ବୋଲି ସେ କହିଛନ୍ତି। ନୂଆ ୟୁନିଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ କମିଟି ଅନୁମୋଦନ କରିଛି। ଏଥିପାଇଁ ୭ହଜାର ୭ଶହ କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.