Below header

ସପରିବାରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦୁଇଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ରରେ ଦେଶର ପ୍ରଥମ ନାଗରିକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଉପସ୍ଥିତ ଥିଲେ କୌଳିକ ପଣ୍ଡା । ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ବାଇଶି ପାହାଚ ଓ ପରେ ସାତ ପାହାଚ ଦେଇ ନାଟପଣ୍ଡପରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ଗରୁଡ଼ ସମ୍ଭ ପରିକ୍ରମା କରିବା ପରେ ଜୟ ବିଜୟ ଦ୍ୱାର ଦେଇ ଗର୍ଭଗୃହରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପରେ ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ଯାଇଥିଲେ ରାଷ୍ଟ୍ରପତି । ଶ୍ରୀମନ୍ଦିର ଭିତରେ ବିତାଇଥିଲେ ପାଖାପାଖି ୪୫ ମିନିଟ । ରାଷ୍ଟ୍ରପତିଙ୍କ ପାଇଁ ଦୁଇଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ ।

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସପରିବାର ପହଞ୍ଚିଥିଲେ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ଜଣାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଭୁବନେଶ୍ୱର ଏୟାରପୋର୍ଟରୁ ଏକ ସ୍ୱତନ୍ତ୍ର ହେଲିକପ୍‌ଟର ଯୋଗେ ପୁରୀ ଗସ୍ତ କରିଥିଲେ । ଆଜି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ।

ଆସନ୍ତାକାଲି ସକାଳ ୧୦ଟା ୩୫ରେ ରାଷ୍ଟ୍ରପତି ବଡ଼ଦାଣ୍ଡ ସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ । ୧୧ଟା ସମୟରେ ଶରଧାବାଲିରେ ହେବାକୁ ଥିବା ବିଶ୍ଵ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ । ପ୍ରାୟ ଏକ ଘଣ୍ଟା ରହିବା ପରେ ୧୨ଟା ବେଳେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ସୁରକ୍ଷା ପାଇଁ ପ୍ରାୟ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.