Below header

ଋଷୀୟ ନାଗରିକ ମୃତ୍ୟୁ ଘଟଣା: ପାଭେଲ୍‌ଙ୍କ ସହ ଆସିଥିବା ୨ ରୁଷ ନାଗରିକଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (କେନ୍ୟୁଜ): ରାୟଗଡ଼ାରେ ଦୁଇ ଦିନ ମଧ୍ୟରେ ଦୁଇ ଜଣ ରୁଷୀୟ ନାଗରିକଙ୍କ ମୃତ୍ୟୁ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବୁଡାନୋଭ୍‌ଙ୍କର କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ? ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ତନାଘନା ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଏଥିପାଇଁ ଏକ ଟିମ୍‌ ଗଠନ କରାଯାଇଛି । ପ୍ରକୃତ ସତ ବାହାର କରିବା ପାଇଁ ରାୟଗଡ଼ା ପୋଲିସ ସହ ମିଶି ଖୋଳତାଡ ଚାଲିଛି ।

ଏହି ଘଟଣାରେ ଗତକାଲି ପାଭେଲ୍‌ଙ୍କ ସହ ଆସିଥିବା ୨ ରୁଷ ନାଗରିକ ତୁରୋଭ, ପାନାସେଙ୍କୋ ଓ ଦିଲ୍ଲୀରୁ ଆସିଥିବା ଗାଇଡ ଜିତେନ୍ଦ୍ର ସିଂଙ୍କୁ ଭୁବନେଶ୍ୱର ପଚରାଉଚରା କରାଯାଇଛି । ସେମାନଙ୍କୁ ନିଜେ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେମାନେ କେବେ ଓଡ଼ିଶା ଆସିଥିଲେ ? କେଉଁ କେଉଁ ସ୍ଥାନ ବୁଲାବୁଲି କରିଥିଲେ ? ଓଡ଼ିଶାରେ ଆଉ କେଉଁ ସ୍ଥାନ ବୁଲିବାର ଯୋଜନା ଥିଲା ? କେଉଁ ପରିସ୍ଥିତିରେ ହୋଟେଲରେ ପୁଟିନଙ୍କ କଡ଼ା ସମାଲୋଚକ ତଥା କୋଟିପତି ରାଜନେତା ପାଭେଲ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପାଭେଲଙ୍କ ମୃତ୍ୟୁ ସମୟରେ କିଏ ଥିଲେ ? ସେ ହୋଟେଲର ତିନି ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଏତିକିବେଳେ କେହି ଦେଖିଥିଲେ କି ? ପାଭେଲ୍‌ ଦୁର୍ଘଟଣାବଶତଃ ଖସି ପଡିଥିଲେ ନା ଆତ୍ମହତ୍ୟା କରିଥିଲେ ? ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ? ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ସବୁ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ମୃତ ପାଭେଲ୍‌ ଆଣ୍ଟୋଭ ଥିଲେ ପୁଟିନଙ୍କ ସମାଲୋଚକ । ରୁଷର ସବୁଠୁ ଧନୀ ସାଂସଦ ଓ କୋଟିପତି ମାଂସ ବ୍ୟବସାୟୀ । ୧୩୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ରୁଷର ଏତେ ବଡ଼ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ରାୟଗଡ଼ାରେ କେମିତି ହେଲା ମୃତ୍ୟୁ, ତାକୁ ନେଇ ସସପେନ୍ସ ବଢ଼ିଛି । ୬୬ତମ ଜନ୍ମଦିନ ପାଳନ କରିବାକୁ ଗତ ୨୧ ତାରିଖରେ ପାଭେଲ ଅନ୍ୟ ତିନି ଜଣଙ୍କ ସହ ଓଡ଼ିଶା ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.