ଜୀବନ ଯୁଦ୍ଧରେ ଜିତିଥିବା ଶୀତଲଙ୍କୁ ଭେଟିଲେ ସିନେ ତାରକା ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା

ଯୁବତୀ ଜଣଙ୍କ ଡାକ୍ତରଙ୍କ ଚିକିତ୍ସା ସହାୟତା ଓ ନିଜର ଦୃଢ଼ ମନୋବଳ ପାଇଁ ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି । ତେବେ ଏହି ଯୁବତୀଙ୍କ ନାଁ ହେଉଛି ଶୀତଲ ଏବଂ ତାଙ୍କ ଅବସ୍ଥା ଦେଖିବା ପାଇଁ ସିନେ ତାରକା ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ପାଖରେ ପହଞ୍ଚିଥିଲେ ।

ଭଦ୍ରକ(କେନ୍ୟୁଜ): ଜୀବନରେ ବହୁ ଝଡ଼ ଝଞ୍ଜା ଆସେ । କିନ୍ତୁ ସେସବୁକୁ ମନରୁ ପାଶୋରି ନୂଆ ଆଶାର ଆଲୋକ ନେଇ ବଞ୍ଚିବାକୁ ପଡ଼େ । ଜୀବନ ଯୁଦ୍ଧରେ ବହୁ ଦୁଃଖ କଷ୍ଟ ଆସେ କିନ୍ତୁ ଯିଏ ସବୁ କଷ୍ଟକୁ ଭୁଲି ସଂଘର୍ଷ କରିପାରେ ସେ ହିଁ ପ୍ରକୃତରେ ଜୀବନର ମୂଲ୍ୟ ବୁଝିପାରେ । ଜଣେ ଯୁବତୀ ବି ଜୀବନ ଯୁଦ୍ଧରେ ସଂଘର୍ଷ କରି ଆଜି ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଦିନେ ଦୁର୍ଘଟଣାଗ୍ରସ୍ଥ ହେବା ପରେ ଯନ୍ତ୍ରଣା ସହି ନ ପାରି ଇଚ୍ଛା ମୃତ୍ୟୁ ଚାହୁଁଥିଲେ । କିନ୍ତୁ ଶେଷରେ ଡାକ୍ତରଙ୍କ ଚିକିତ୍ସା ଓ ଅନେକ ଲୋକଙ୍କ ଦୃଢ଼ ମନୋବଳ ତାଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲା ।

ଯୁବତୀ ଜଣଙ୍କ ଡାକ୍ତରଙ୍କ ଚିକିତ୍ସା ସହାୟତା ଓ ନିଜର ଦୃଢ଼ ମନୋବଳ ପାଇଁ ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି । ତେବେ ଏହି ଯୁବତୀଙ୍କ ନାଁ ହେଉଛି ଶୀତଲ ଏବଂ ତାଙ୍କ ଅବସ୍ଥା ଦେଖିବା ପାଇଁ ସିନେ ତାରକା ଦମ୍ପତି ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ପାଖରେ ପହଞ୍ଚିଥିଲେ । ନିର୍ବାଚନ ପ୍ରଚାର ସାରି ସବ୍ୟସାଚୀ, ଅର୍ଚ୍ଚିତା ଭଦ୍ରକ ବ୍ଲକ ଅଧିନସ୍ଥ ରାହାଞ୍ଜ ଠାରେ ପହଞ୍ଚିଥିଲେ । ଶୀତଲଙ୍କୁ ଆଲିଙ୍ଗନ କରି ଅର୍ଚ୍ଚିତା ବେଶ ଖୁସି ହୋଇଥିଲେ । ଦୁର୍ଘଟଣା ଗ୍ରସ୍ତ ହୋଇ ଏବେ ସୁସ୍ଥ ଜୀବନ ବିତାଉଥିବା ଶୀତଲ ସାହୁଙ୍କୁ ଦେଖି ଉଭୟ ସବ୍ୟସାଚୀ ଓ ଅର୍ଚ୍ଚିତା ବେଶ ଖୁସି ବ୍ୟକ୍ତ କରିଥିଲେ ।

କହି ରଖିବାକୁ ଚାହିଁବୁ ଗତ ୨୦୧୮ ମସିହାରେ ରାହାଞ୍ଜ ଗ୍ରାମର ଶୀତଲ ସାହୁ ବିଦ୍ୟାଳୟରୁ ଫେରୁଥିବା ବେଳେ ତାଙ୍କୁ ଓ ତାଙ୍କ ସାଙ୍ଗ ମାନଙ୍କୁ ଟ୍ରକ ଧକ୍କା ଦେଇଥିଲା. ଫଳରେ ଘଟଣା ସ୍ଥଳରେ କିଛି ଛାତ୍ରଛାତ୍ରୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ଶୀତଲଙ୍କ ଗୋଡ଼ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଲା । ତେବେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବା ସହିତ ସେ ଯନ୍ତ୍ରଣାକୁ ସହି ସହି ଜୀବନ ବିତାଉଥିଲେ । ଏପରିକି ଯନ୍ତ୍ରଣା ସହି ନ ପାରି ସେ ଇଚ୍ଛା ମୃତ୍ୟୁ ଚାହିଁଥିଲେ । ଏହି ଖବର ଭଦ୍ରକ ବିଧାୟକ ପାଇବା ପରେ ତାଙ୍କୁ ଚିକିତ୍ସା ସହାୟତା ସହିତ ଶୀତଲଙ୍କୁ ଝିଅ ଭାବେ ଆପଣାଇ ତାଙ୍କର ଅପରେସନ କରି ତାଙ୍କୁ ଯନ୍ତ୍ରଣା ମୁକ୍ତ କରିଥିଲେ । ଏପରିକି ସେ ଯିବା ଆସିବା ପାଇଁ ଗୋଟାଏ ସ୍କୁଟି ମଧ୍ୟ ପ୍ରଦାନ କରିଥିଲେ । ତେଣୁ ଶୀତଲ ଅନ୍ୟ ଝିଅଙ୍କ ପରି ଏବେ ଯାତାୟାତ କରି ପାରୁଛନ୍ତି । ତେବେ ଶୀତଲଙ୍କର ଏହି କାହାଣୀ ସମ୍ପର୍କରେ ସବ୍ୟସାଚୀ ଓ ଅର୍ଚ୍ଚିତା ଜାଣି ତାଙ୍କୁ ସାକ୍ଷାତ କରିବା ପାଇଁ ଚାଁହୁଥିଲେ ମଧ୍ୟ ଆସି ପାରି ନ ଥିଲେ । କିନ୍ତୁ ଭଣ୍ଡାରିପୋଖରୀରେ ନିର୍ବାଚନ ପ୍ରଚାର ପାଇଁ ଆସିବା ଅବସରରେ ରାହାଞ୍ଜ ଯାଇ ଶୀତଲ ସାହୁଙ୍କୁ ଭେଟି ତାଙ୍କ ସହିତ ପୁରା କାହାଣୀ ଶୁଣିଥିଲେ । ଶୀତଲ ଏଥିପାଇଁ ସଂଜୀବ ମଲ୍ଲିକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହିତ ସିନେ ତାରକା ଦମ୍ପତିଙ୍କୁ ପାଖରେ ପାଇ ବେଶ ଖୁସି ହୋଇଥିଲେ ।

ପ୍ରତ୍ୟେକ ମଣିଷ ଜୀବନରେ ଏମିତି ଅନେକ ଦୁଃଖ କଷ୍ଟ ଆସେ । କିନ୍ତୁ ଶୀତଲ ଯେପରି ନିଜ ଜୀବନରେ ସଂଘର୍ଷ କରି ନୂଆ ଜୀବନ ପାଇଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

Leave A Reply

Your email address will not be published.