Below header

ଅନୁଗୁଳ: ସ୍ଥିତି ହେଲାଣି ସାଙ୍ଘାତିକ,ତଥାପି ଅମାନିଆ ହେଉଛନ୍ତି ସୁରତ ଫେରନ୍ତା,ଟ୍ରେନ ଚେନ ଟାଣି ଫେରାର ହେଲେ ପ୍ରବାସୀ ଶ୍ରମିକ

କେନ୍ୟୁଜ୍ (ବ୍ୟୁରୋ):  କିଛି ଦିନ ହେବ ଓଡିଶାବାସୀଙ୍କ ଚିନ୍ତାର କାରଣ ସଜିଛନ୍ତି ସୁରତ ଫେରନ୍ତା । ରାଜ୍ୟ ସରକାର ନିଜ ରାଜ୍ୟକୁ ଶ୍ରମିକମାନଙ୍କୁ ଫେରାଇ ଆଣିବା ପରେ  ଓଡିଶାରେ ହୁ ହୁ ହେଇ ବଢି ଚାଲିଛି କରୋନା  ଆକ୍ରାନ୍ତଙ୍କ  ସଂଖ୍ୟା। କିନ୍ତୁ ଯେତେ ସଚେତନ କଲେ ମଧ୍ୟ  କିଛି  ଅଭ୍ୟାସଗତ ଅମାନିଆ ପ୍ରବାସୀ ଶ୍ରମିକଙ୍କ ଉପରେ କିଛି ଫରକ ପଡୁନାହିଁ। କେଉଁଠି ସଙ୍ଗରୋଧ କେନ୍ଦ୍ରରେ ସବୁ ଅନ୍ତେବାସୀ ଏକାଠି ହୋଇ ନାଚ ଗୀତରେ ମସଗୁଲ ହେଉଯାଉଛନ୍ତି ତ ଆଉ କେଉଁଠି କ୍ବାରେଣ୍ଟାଇନ କେନ୍ଦ୍ର ବାହାରେ ଏଣେ ତେଣେ ବୁଲୁଛନ୍ତି। ସବୁ ଘଟଣାଠାରୁ ବଳି ପଡିଛି ଅନୁଗୁଳର ଏହି ଟ୍ରେନରୁ ଫେରାର ଘଟଣା। ସୁରତରୁ ଟ୍ରେନରେ ଆସୁଥିବା ବେଳେ ଅନୁଗୁଳ ନିକଟରେ ଟ୍ରେନ ଚେନ ଟାଣି ଫେରାର ହୋଇଗଲେ ପ୍ରାୟ ୧୦ ଓଡ଼ିଆ। ଅନୁଗୁଳର ମଝିକା ନିକଟରେ ଘଟିଛି ଅଘଟଣ।

ଏମାନଙ୍କ ମଧ୍ୟରେ କିଛି ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ତେବେ  ସରକାର ଏତେ ସବୁ ସୁବିଧା କରିଥିଲେ  ମଧ୍ୟ ସଙ୍ଗରୋଧ କେନ୍ଦ୍ରକୁ ଜେଲଖାନା ଭାବି ଏଭଳି ଗୋଟିଏ ଗୋଟିଏ ବିପଦପୂର୍ଣ୍ଣ କାର୍ଯ୍ୟ କରି ଚାଲୁଛନ୍ତି ପ୍ରବାସୀ ଶ୍ରମିକ।

angul

ସେପଟେ ଓଡିଶାରେ  ୨୪ ଘଣ୍ଟାରେ ୮୩ କରୋନା ଆକ୍ରାନ୍ତ । ରାଜ୍ୟରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ କାୟା ବୃଦ୍ଧି କରୁଛି କରୋନା । ଆଜି ସୁଦ୍ଧା ୨୧ଟି ଜିଲ୍ଲାକୁ ଛୁଇଁଲାଣି ଭାଇରସ୍‌। ଆଜି କରୋନା ମ୍ୟାପରେ ଯୋଡ଼ି ହୋଇଛି ଅନୁଗୁଳ ଓ ବୌଦ୍ଧ ଜିଲ୍ଲା । ରାଜ୍ୟରେ ମୋଟ୍‌ ୩୭୭ ଜଣ ଭୂତାଣୁ ସଂକ୍ରମିତ ହେଲେଣି । ଅନୁଗୁଳ ଜିଲ୍ଲାରେ ୧୫ ଓ ବୌଦ୍ଧରେ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରେ ୧୩ ଜଣ ଫେରିଥିଲେ ସୁରତରୁ । ଜଣେ ମହାରାଷ୍ଟ୍ର ଫେରନ୍ତା । ଆଉ ଜଣେ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ବୌଦ୍ଧ ଜିଲ୍ଲାର ୩ ନୂଆ ଭୂତାଣୁ ସଂକ୍ରମିତ ବି ସୁରତରୁ ଆସିଥିଲେ । ସେପଟେ କରୋନା ମୁକ୍ତ ପୁରୀ ଆଜି କରୋନା ଯୁକ୍ତ ହୋଇଛି । ଆଜି ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା ସଂକ୍ରମିତ ହୋଇଛନ୍ତି । ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହୋଇଛି । ୨୪ ଘଣ୍ଟାରେ ଚିହ୍ନଟ ୮୩ ପଜିଟିଭ କେସରେ ସର୍ବାଧିକ ୩୬ ଜଣ ଗଞ୍ଜାମ ଜିଲ୍ଲାରୁ ସଂକ୍ରମିତ ।

ସେହିପରି ବାଲେଶ୍ୱର ୧୫, ଅନୁଗୁଳ ୧୫, ଭଦ୍ରକ ୬, ଯାଜପୁର ୫, ବୌଦ୍ଧ ୩, ପୁରୀ ୨ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଅଛନ୍ତି । ଏମାନଙ୍କ ଭିତରେ ୬୧ ଜଣ ସୁରତରୁ ଫେରିଥିଲେ । ପଶ୍ଚିମବଙ୍ଗରୁ ୧୫, କର୍ଣ୍ଣାଟକରୁ ୫, ମହାରାଷ୍ଟ୍ରରୁ ଜଣେ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି ।

ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୩୦୬ ଥିବା ବେଳେ ତିନି ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍‌ । ଏମାନଙ୍କ ଭିତରୁ ୫ଟି ଜିଲ୍ଲାରୁ ଅଛନ୍ତି କେବଳ ତିନି ଶହ ଜଣ ଆକ୍ରାନ୍ତ । ଗତ ପାଞ୍ଚ ଦିନରେ ଦୁଇ ଗୁଣା ହୋଇଛି ରାଜ୍ୟରେ ପଜିଟିଭ୍‌ ସଂଖ୍ୟା। ଏହାସହ ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ଜଣଙ୍କର ମୃତ୍ୟୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.