୨୪ ଘଣ୍ଟାରେ ୮୩ କରୋନା ଆକ୍ରାନ୍ତ, ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାରୁ କାୟା ବିସ୍ତାର କରୁଛି କରୋନା

କେନ୍ୟୁଜ୍ (ବ୍ୟୁରୋ): ୨୪ ଘଣ୍ଟାରେ ୮୩ କରୋନା ଆକ୍ରାନ୍ତ । ରାଜ୍ୟରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ କାୟା ବୃଦ୍ଧି କରୁଛି କରୋନା । ଆଜି ସୁଦ୍ଧା ୨୧ଟି ଜିଲ୍ଲାକୁ ଛୁଇଁଲାଣି ଭାଇରସ୍‌। ଆଜି କରୋନା ମ୍ୟାପରେ ଯୋଡ଼ି ହୋଇଛି ଅନୁଗୁଳ ଓ ବୌଦ୍ଧ ଜିଲ୍ଲା । ରାଜ୍ୟରେ ମୋଟ୍‌ ୩୭୭ ଜଣ ଭୂତାଣୁ ସଂକ୍ରମିତ ହେଲେଣି । ଅନୁଗୁଳ ଜିଲ୍ଲାରେ ୧୫ ଓ ବୌଦ୍ଧରେ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅନୁଗୁଳରେ ୧୩ ଜଣ ଫେରିଥିଲେ ସୁରତରୁ । ଜଣେ ମହାରାଷ୍ଟ୍ର ଫେରନ୍ତା । ଆଉ ଜଣେ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ବୌଦ୍ଧ ଜିଲ୍ଲାର ୩ ନୂଆ ଭୂତାଣୁ ସଂକ୍ରମିତ ବି ସୁରତରୁ ଆସିଥିଲେ । ସେପଟେ କରୋନା ମୁକ୍ତ ପୁରୀ ଆଜି କରୋନା ଯୁକ୍ତ ହୋଇଛି । ଆଜି ଦୁଇ ଜଣ ପଶ୍ଚିମବଙ୍ଗ ଫେରନ୍ତା ସଂକ୍ରମିତ ହୋଇଛନ୍ତି । ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହୋଇଛି । ୨୪ ଘଣ୍ଟାରେ ଚିହ୍ନଟ ୮୩ ପଜିଟିଭ କେସରେ ସର୍ବାଧିକ ୩୬ ଜଣ ଗଞ୍ଜାମ ଜିଲ୍ଲାରୁ ସଂକ୍ରମିତ ।

ସେହିପରି ବାଲେଶ୍ୱର ୧୫, ଅନୁଗୁଳ ୧୫, ଭଦ୍ରକ ୬, ଯାଜପୁର ୫, ବୌଦ୍ଧ ୩, ପୁରୀ ୨ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଅଛନ୍ତି । ଏମାନଙ୍କ ଭିତରେ ୬୧ ଜଣ ସୁରତରୁ ଫେରିଥିଲେ । ପଶ୍ଚିମବଙ୍ଗରୁ ୧୫, କର୍ଣ୍ଣାଟକରୁ ୫, ମହାରାଷ୍ଟ୍ରରୁ ଜଣେ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୩୦୬ ଥିବା ବେଳେ ତିନି ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍‌ । ଏମାନଙ୍କ ଭିତରୁ ୫ଟି ଜିଲ୍ଲାରୁ ଅଛନ୍ତି କେବଳ ତିନି ଶହ ଜଣ ଆକ୍ରାନ୍ତ । ଗତ ପାଞ୍ଚ ଦିନରେ ଦୁଇ ଗୁଣା ହୋଇଛି ରାଜ୍ୟରେ ପଜିଟିଭ୍‌ ସଂଖ୍ୟା। ଏହାସହ ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ଜଣଙ୍କର ମୃତ୍ୟୁ ହୋଇଛି।

ସେପଟେ  ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଟପି ୬୩ ହଜାର ନିକଟବର୍ତ୍ତୀ ହୋଇଛି। ଗତ କିଛି ଦିନ ହେବ ଦୈନିକ ୩ ହଜାର ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୭୭ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା ୬୨ ହଜାର ୯୩୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୨୭ ଜଣଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ୨ ହଜାର ୧୦୯ରେ ପହଞ୍ଚିଛି। ସେହିପରି ୧୯ ହଜାର ୩୫୮ ଜଟଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ଚିନ୍ତା ବଢାଇଛନ୍ତି ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡୁ ଓ ରାଜସ୍ଥାନ। ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ମଧ୍ୟ କରୋନା ହଟ୍‌ ଜୋନ୍‌ରେ ଅଛନ୍ତି। ଏକା ମହାରାଷ୍ଟ୍ରର ଆକ୍ରାନ୍ତ ସଂଖ୍ୟା ୨୦ ହଜାର ଟପିଗଲାଣି। ଅର୍ଥାତ୍‌ ଦେଶର ମୋଟ ଆକ୍ରାନ୍ତ ସଂଖ୍ୟାର ତିନି ଭାଗରୁ ଏକ ଭାଗ।

ମହାରାଷ୍ଟ୍ରରୁ ୭୭୯ ମୁଣ୍ଡ ନେଇ ସାରିଲାଣି ମହାମାରୀ। ଗୁଜରାଟର ସ୍ଥିତି ମଧ୍ୟ ସଂଗୀନ ହେବାରେ ଲାଗିଛି। ଗୁଜରାଟର ଆକ୍ରାନ୍ତ ସଂଖ୍ୟା ୭ ହଜାର ୭୯୬ରେ ପହଞ୍ଚିଥିବା ବେଳେ ୪୭୨ ଜୀବନ ଗଲାଣି। ଦିଲ୍ଲୀରେ ୬ହଜାର ୫୪୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୩ ଜଣ ଆଖିବୁଜିଲେଣି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ରାଜ୍ୟରେ ପଜିଟିଭ୍‌ ରିପୋର୍ଟ ଶୂନ ରହିଛି। ୪ଟି ରାଜ୍ୟରୁ ଆଦୌ କରୋନା ରିପୋର୍ଟ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.